ବରଗଡ଼: ମହଙ୍ଗା ପଡିଲା ପିଲାଙ୍କ ଖାଦ୍ୟ ସାମଗ୍ରୀରେ ହେରଫେର କରିବା | ଏନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର | ଅନେକ ସମୟରେ ରାଜ୍ୟସରକାରଙ୍କ ପକ୍ଷରୁ ଏନେଇ ଚେତାବନୀ ଦେବା ସ୍ବତେ ଏପରି ଘଟଣା ସାମ୍ନାକୁ ଆସିଛି | ଏନେଇ ଅନେକ ଅଧିକାରୀ ନିଲମ୍ବିତ ହୋଇଛି | ତେବେ ଏବେ ପୁଣି ଏପରି ଘଟଣା ସାମ୍ନାକୁ ଆସିଛି | ନିଲମ୍ବିତ ହୋଇଥିବା ଅଧିକାରୀ ଜଣଙ୍କ ହେଉଛନ୍ତି ବରଗଡ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ | ଆଜି ରାଜ୍ୟ ଖାଦ୍ଯ ଏବଂ ଯୋଗାଣ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ରଜନୀକାନ୍ତ ଦାସଙ୍କ ବେଆଇନ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଛି । ସ୍କୁଲ୍ ମଧ୍ୟାହ୍ନ ଭୋଜନ ଏବଂ ଆଙ୍ଗନବାଡ଼ି କେନ୍ଦ୍ରର ଚାଉଳ ଯୋଗାଣରେ ରଜନୀକାନ୍ତ ଦାସ ହେରଫେର କରିଥିବା ଅଭିଯୋଗ ହୋଇଥିଲା ।
ସ୍କୁଲ୍ ମଧ୍ୟାହ୍ନ ଭୋଜନ ଏବଂ ଆଙ୍ଗନବାଡ଼ି କେନ୍ଦ୍ରର ପିଲା ମାନଙ୍କୁ ଭିଟାମିନ ଯୁକ୍ତ ଚାଉଳ ଯୋଗାଇବା ପାଇଁ ନିର୍ଦ୍ଦେଶ ରହିଛି । ଏଥିପାଇଁ ମିଲ ମାନଙ୍କରୁ 1418 ମେଟ୍ରିକ ଟନ ଭିଟାମିନ ଯୁକ୍ତ ଚାଉଳ କ୍ରୟ କରିବାର ନିର୍ଦ୍ଦେଶ ଥିବାବେଳେ ବରଗଡର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଏହି ନିୟମକୁ ଉଲ୍ଲଂଘନ କରି 25 ହଜାର 830 ମେଟ୍ରିକ ଟନ୍ରୁ ଅଧିକ ଭିଟାମିନ ଯୁକ୍ତ ଚାଉଳ ମିଲମାନଙ୍କରୁ କ୍ରୟ କରିଥିଲେ । 24 ହଜାର 412 ମେଟ୍ରିକ ଟନ୍ ମାତ୍ରାଧିକ ଭିଟାମିନ ଯୁକ୍ତ ଚାଉଳ ବେଆଇନ ଭାବରେ କିଣିବା ଏବଂ ସରକାରଙ୍କୁ କ୍ଷତିରେ ପକାଇଥିବା ଅଭିଯୋଗ ହୋଇଛି ।
ରାଜ୍ୟ ସରକାର ବରଗଡ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ନିଲମ୍ବିତ କରିଛନ୍ତି । ବରଗଡ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟଲୟରେ ପୂର୍ବରୁ ସେ କେବଳ ଯୋଗାଣ ଅଧିକାରୀ ଥିବାବେଳେ, ଏଠାରେ ଚାଲିଥିବା ଦୁର୍ନୀତି ଏବଂ କାର୍ଯ୍ୟବୋଝକୁ କମ୍ କରିବା ପାଇଁ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପଦବୀରେ ତାଙ୍କୁ ଉପସ୍ଥାପିତ କରାଯାଇଥିଲା । ଦୁର୍ନୀତି ରୋକିବା ବଦଳରେ କେବଳ ଦୁଇ ବର୍ଷ ମଧ୍ୟରେ ଅଧିକାରୀ ମଧ୍ୟ ଦୁର୍ନୀତିରେ ଲିପ୍ତ ହୋଇଯାଇଥିଲେ । ଫଳସ୍ବରୂପ ତାଙ୍କୁ ଆଜି ନିଲମ୍ବିତ କରାଯାଇଛି | ଯଦି ଆଗକୁ ଅନ୍ୟ କର୍ମଚାରୀ ଏପରି କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ତାଙ୍କ ବିରୋଧରେ ଏପରି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି |





