‘ସୋନିଆ ନୁହେଁ, ବସୁନ୍ଧରା ହେଉଛନ୍ତି ଗେହଲଟ୍‌ଙ୍କ ନେତା’; ଗେହଲଟ୍‌ଙ୍କୁ ଟାର୍ଗେଟ କରିବା ସହ ଜନ ସଂଘର୍ଷ ପଦଯାତ୍ରାର ଘୋଷଣା କଲେ ପାଇଲଟ୍‌

ଭୁବନେଶ୍ୱର,୯/୫(ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଆଡ଼କୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, କିନ୍ତୁ ଏହାପୂର୍ବରୁ କଂଗ୍ରେସରେ ବିବାଦ ଏବେ ଚରମରେ ପହଞ୍ଚିଛି। ରାହୁଲ ଗାନ୍ଧୀଙ୍କ ଉଦୟପୁର ଗସ୍ତ ମଧ୍ୟରେ କଂଗ୍ରେସ ନେତା ସଚିନ ପାଇଲଟ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ସଚିନ ପାଇଲଟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଷଣ ଶୁଣିବା ପରେ ଜଣାପଡୁଛି ସୋନିଆ ଗାନ୍ଧୀ ତାଙ୍କ ନେତା ନୁହଁନ୍ତି, ବଂର ତାଙ୍କର ନେତା ବସୁନ୍ଧରା ରାଜେ ସିନ୍ଧିଆ।

ପାଇଲଟ କହିଛନ୍ତି, ୨୦୨୦ ମସିହାରେ ମୁଁ ଉପ-ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଦେଶଦ୍ରୋହ ଅଭିଯୋଗରେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରାଯାଇଥିଲା। ନେତୃତ୍ୱ ପରିବର୍ତ୍ତନ ଚାହୁଁଥିଲେ ତେଣୁ ଏଆଇସିସି ସହ କଥା ହେବା ପାଇଁ ଦିଲ୍ଲୀ ଯାଇଥିଲୁ, ପରେ ଏକ କମିଟି ଗଠନ କରାଯାଇଥିଲା। କମିଟି ସମସ୍ତଙ୍କ କଥା ଶୁଣୁଥିଲା ଏବଂ ଏହାକୁ ଆଧାର କରି ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା। ସେବେଠାରୁ, ପ୍ରତ୍ୟେକ ବଡ କିମ୍ବା ଛୋଟ କାର୍ଯ୍ୟରେ, ସମସ୍ତ ସାଥୀମାନେ ଏକାଠି କାମ କରିଥିଲେ ଏବଂ କଠିନ ପରିଶ୍ରମ କରିଥିଲେ, ଶୃଙ୍ଖଳା ଭାଙ୍ଗିବା କାର୍ଯ୍ୟ କେହି କରିନାହାଁନ୍ତି।

ସଚିନ୍ ପାଇଲଟ୍ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ତାଙ୍କୁ ମୂଲ୍ୟହୀନ, ଅଦରକାରୀ ଏବଂ ଏପରିକି ଦେଶଦ୍ରୋହୀ ମଧ୍ୟ କୁହାଯାଉଥିଲା। ଅଶୋକ ଗେହଲଟ୍ ଯେଉଁ ଅଭିଯୋଗ କରିଛନ୍ତି, ତାହା ସେ ପୂର୍ବରୁ ଅନେକ ଥର କରିସାରିଛନ୍ତି, କିନ୍ତୁ ସର୍ବସାଧାରଣରେ ମୁଁ କିଛି କହିବାକୁ ଚାହୁଁ ନଥିଲି। ଗେହଲଟ ତାଙ୍କ ଭାଷଣରେ କଂଗ୍ରେସ ନେତାମାନଙ୍କୁ ଅପମାନିତ କରିଛନ୍ତି ଏବଂ ବିଜେପି ନେତାମାନଙ୍କୁ ପ୍ରଶଂସା କରିଛନ୍ତି, ଯାହା ବୁଝିବା ବାହାରେ ରହିଛି। ଏଭଳି ବିଧାୟକଙ୍କ ବିରୋଧରେ ଅଭିଯୋଗ କରାଯାଉଛି, ଯେଉଁମାନେ ୪୦-୪୫ ବର୍ଷ ଧରି ରାଜନୀତିରେ କାର୍ଯ୍ୟ କରୁଛନ୍ତି। ତାଙ୍କ ଅଞ୍ଚଳର ଲୋକମାନେ ଜାଣନ୍ତି ସେ କେଉଁ ପ୍ରକାରର ନେତା, ସେ କେଉଁ ପ୍ରକାର କାମ କରନ୍ତି। ଏହିପରି ବିଧାୟକଙ୍କ ଉପରେ ଦୋଷ ଲଦିବା ସମ୍ପୂର୍ଣ୍ଣ ଭୁଲ।

ଯେତେବେଳେ ବସୁନ୍ଧରା ରାଜେଙ୍କ କାଳରେ ଦୁର୍ନୀତି ବିଷୟରେ କଥା ହୁଏ, ପେପର ଲିକ୍ ବିଷୟରେ କଥା ହୁଏ ସେତେବେଳେ କିଛି ଉତ୍ତର ମିଳେନି। ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ, ୧୧ ତାରିଖରେ ଆଜମେରରୁ ଏକ ପଦଯାତ୍ରା ଆରମ୍ଭ କରିବି। ଜନତାଙ୍କ ଭିତରେ ଯାଇ ତାଙ୍କର କଥା ଶୁଣିବି ଓ ତାଙ୍କର ସମସ୍ୟା ଉଠାଇବି। ଯୁବପୀଢିଙ୍କ ପ୍ରସଙ୍ଗକୁ ଉଠାଇ ଜନସଂଘର୍ଷ ଯାତ୍ରା ଆରମ୍ଭ କରିବାକୁ ଯାଉଛି, ଯାହାକି ପ୍ରାୟ ୧୨୫ କିଲୋମିଟର ପର୍ଯ୍ୟନ୍ତ ଚାଲିବ।

Related Posts