ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ବିଜେପି ଆରମ୍ଭ କରିଛି ପ୍ରସ୍ତୁତି | ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନେତୃତ୍ୱରେ ଆଜି ଦଳର ବିଭିନ୍ନ ପଦ ପାଇଁ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି | ଘୋଷଣା ହୋଇଥିବା ନଡ୍ଡାଙ୍କ ଏହି ୩୮ଜଣିଆ ଟିମରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣି ସାମିଲ ହୋଇଛନ୍ତି | ତାଙ୍କୁ ପୁଣିଥରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ମିଳିଛି। ସେ ତୃତୀୟ ଥର ଲାଗି ଦଳର ଏହି ପଦ ପାଇବାରେ ସକ୍ଷମ ହୋଇଛନ୍ତି।
ତେବେ ବିଜେପି ପକ୍ଷରୁ ନୂତନ ଜାତୀୟ ଉପାଧ୍ୟକ୍ଷ ଏବଂ ସାଧାରଣ ସଂପାଦକଙ୍କ ନାମ ଘୋଷଣା କରାଯାଇଛି। ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସୌଦାନ ସିଂ ପ୍ରମୁଖଙ୍କୁ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ କୈଳାସ ବିଜୟବର୍ଗୀୟ, ଅରୁଣ ସିଂ ଏବଂ ତରୁଣ ଚୁଗଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ, ବିଜେଡିରୁ ବିଦା ହେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି ଏକ ବଡ଼ ପଦ ଦେଇଥିଲା। ତତକାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। କେବଳ ସେତିକି ନୁେହଁ, ତାଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ଦାୟିତ୍ବ ଦିଆଯାଇଥିଲା। ପରେ ସେ ଆସାମ ଓ ନୂଆଦିଲ୍ଲୀର ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଥିଲେ। ବିଶେଷ କରି ଗତ ବିଧାନସଭା ନିର୍ବାଚନରେ ଆସାମରେ ବିଜେପିର ସଫଳତା ପଛରେ ବୈଜୟନ୍ତ ପଣ୍ଡାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।





