ଭୁବନେଶ୍ୱର,୮/୩(ସତ୍ୟପାଠ ବ୍ୟୁରୋ): ସାଧାରଣ ନିର୍ବାଚନ ଘୋଷଣାକୁ କିଛିଦିନ ଥିବା ବେଳେ ମହିଳା ଦିବସ ଆଳରେ ଏଲପିଜି ସିଲିଣ୍ଡର ପିଛା ୧୦୦ଟଙ୍କା କମାଇଛନ୍ତି କେନ୍ଦ୍ରସରକାର। ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲେଖିଛନ୍ତି ଆଜି ମହିଳା ଦିବସରେ ଆମ ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର ପ୍ରତି ଦର ୧୦୦ ଟଙ୍କା ହ୍ରାସ କରିଛନ୍ତି । ଦେଶର ଲକ୍ଷଲକ୍ଷ ପରିବାର ଉପରେ ଥିବା ଆର୍ଥିକ ବୋଝକୁ ଏହି ନିଷ୍ପତ୍ତି ହାଲୁକା କରିବ । ଏହା ଆମ ନାରୀ ଶକ୍ତିକୁ ଅଧିକ ଲାଭ ଦେବ ।
ଗତକାଲି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ସବସିଡି ଘୋଷଣା ହୋଇଥିଲା। ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଉପରେ ସବସିଡି ପାଇବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଲପିଜି ସିଲିଣ୍ଡର ଉପରେ ସବସିଡି ଦେବାର ଅବଧିକୁ ଏକ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା। ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଦିଆଯାଉଥିବା ସିଲିଣ୍ଡର ପିଛା ୩୦୦ ଟଙ୍କା ସବସିଡି ଯୋଜନା ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସବସିଡି ପ୍ରଦାନ ହେତୁ ସରକାରଙ୍କ ଉପରେ ୧୨୦୦୦ କୋଟି ଟଙ୍କା ହେବ ଓ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ପ୍ରତିବର୍ଷ ୧୨ ଟି ସିଲିଣ୍ଡର ଦିଆଯିବ। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏଲପିଜି ରିଫିଲ ପାଇଁ ମାତ୍ର ୬୦୩ ଟଙ୍କା ଦେବାକୁ ପଡିବ। ହିତାଧିକାରୀମାନେ ଏଲପିଜି ସିଲିଣ୍ଡର ଉପରେ ସବସିଡି ସୁବିଧା ପାଇବେ।





