ଭୁବନେଶ୍ଵର, ୧୪/୨ (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପୂର୍ବରୁ ଏବେ ରାଜ୍ୟ ସରକାର ଘୋଷଣା ପରେ ଘୋଷଣା କରୁଛନ୍ତି। ଏହି କ୍ରମରେ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ‘ମମତା’ ଯୋଜନା ସହାୟତା ରାଶି ଦୁଇ ଗୁଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା। ଏବେ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ।
ଚଳିତ ମାସ ୨୦ ରୁ ୨୫ତାରିଖ ମଧ୍ୟରେ ହିତାଧିକାରୀଙ୍କୁ ବକେୟା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନୂଆ ମମତା ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ। ପ୍ରଥମ କିସ୍ତିରେ(ଗର୍ଭାବସ୍ଥାର ୬ ମାସ ପରେ) ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ୧୦ମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି। ୧୯ ବର୍ଷରୁ ଊର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା ୨ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ। ଏହାସହ ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ମାନଙ୍କୁ ପ୍ରତ୍ୟେକ ଗର୍ଭ ନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଓଡ଼ିଶାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟିହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ। ମମତା ଯୋଜନା ବେଶ୍ ଲୋକପ୍ରିୟ ହେବା ସହ ଏହାକୁ ଜାତୀୟସ୍ତରରେ ଏକ ମଡେଲ୍ ଭାବେ ଗ୍ରହଣ କରାଯାଇଛି। ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୬୦ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୂତି ଉପକୃତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯୦୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଏହି ଯୋଜନା ବିଷୟରେ ସୂଚନା ବା ଅଭିଯୋଗ ନିମନ୍ତେ ହେଲ୍ପଲାଇନ୍ ନମ୍ବର ୧୮୧ରେ କଲ୍ କରିବାକୁ କିମ୍ବା ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଯୋଗ କରିବାକୁ କୁହାଯାଇଛି।





