ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟରୁ ଆହତ ଯୋଗୁଁ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ଦ୍ରୁତ ବୋଲର ନବଦୀପ ସୈନି ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଥିବାବେଳେ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି | ବାସ୍ତବରେ ଅଭ୍ୟାସ ସମୟରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି। ଏନେଇ ବ୍ୟାଟିଂ କୋଚ ବିକ୍ରମ ରାଠୋର ସୂଚନା ଦେଇଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଅଧିନାୟକ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେ ଆହତ ହୋଇଛନ୍ତି। ତେଣୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ରାହୁଲ ଖେଳିବା ନେଇ ସନ୍ଦେହ ରହିଛି। ତେବେ ବିକ୍ରମ ରାଠୋରଙ୍କ ସୂଚନା ଅନୁଯାୟୀ ରାହୁଲଙ୍କ ଆଘାତ ଅତ୍ୟନ୍ତ ଗୁରୁତର ନୁହେଁ। ତାଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି |
ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଗୁରୁବାର ଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ରାହୁଲ ଆହତ ହୋଇଛନ୍ତି । ତେବେ ମିଳିଥିବା ଖବର ଅନୁଯାୟୀ, ଅଭ୍ୟାସ ସମୟରେ ରାହୁଲଙ୍କ ହାତରେ ଆଘାତ ଲାଗିଥିଲା | ତେବେ ରାହୁଲଙ୍କ ଆଘାତ ଗୁରୁତର ନାହିଁ ବୋଲି ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି । ସେ କହିଛନ୍ତି, ଯେ ଡାକ୍ତରମାନେ ଏହାର ଅନୁସନ୍ଧାନ କରୁଛନ୍ତି। ଆଶା କରୁଛି ସବୁକିଛି ଠିକ ହୋଇଯିବ | ଉଲ୍ଲେଖ ଥାଉ କି ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆରେ ରୋହିତଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେହିଦିନରୁ ସେ ଠିକ୍ ହୋଇନାହାନ୍ତି। ଆଗାମୀ ୨ ମାସ ଧରି ଭାରତର ବ୍ୟସ୍ତ କାର୍ଯ୍ୟସୂଚୀ ଥିବାରୁ ରୋହିତ ସମ୍ପୂର୍ଣ୍ଣ ଫିଟ୍ ହେଲେ ହିଁ ଦଳକୁ ଫେରିପାରିବେ। ଅନ୍ୟପକ୍ଷରେ ସୈନିଙ୍କ ମାଂସପେସୀ ଟାଣି ହୋଇଥିବାରୁ ସେ ମଧ୍ୟ ଖେଳିବାକୁ ସକ୍ଷମ ନାହାନ୍ତି।





