ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଆଜି କିଛି ଭିନ୍ନ ଢଙ୍ଗରେ ଟାର୍ଗେଟ କରିଛି କଂଗ୍ରେସ। ହିମନ୍ତଙ୍କଠାରୁ ସତର୍କ ରହିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ବିଟ କରି ସତର୍କ କରାଇଛି କଂଗ୍ରେସ। ୧୨ବର୍ଷ ତଳେ ରାହୁଲ ଗାନ୍ଧୀଙ୍କୁ ନେଇ ହିମନ୍ତ ବିଶ୍ୱ ଶର୍ମା କରିଥିବା ଏକ ଟ୍ବିଟ ପାଇଁ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଥିବା ଜଣାପଡ଼ିଛି। ହିମନ୍ତ କଂଗ୍ରେସରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରି ୨୦୧୦ରେ ଏକ ଟୁଇଟ୍ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଥିଲେ ଯେ, ଉଚିତ୍ ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ । ବର୍ତ୍ତମାନ ସେ କଂଗ୍ରେସ ଛାଡ଼ିବା ପରେ ସେ ରାହୁଲଙ୍କୁ ସମାଲୋଚନା କରି ଟ୍ବିଟ କରୁଥିବାରୁ କଂଗ୍ରେସ ତାଙ୍କୁ ଏଭଳି ଟାର୍ଗେଟ କରିଛି।
କଂଗ୍ରେସ ନେତା ମଣିକାମ ଟାଗୋର ହିମନ୍ତ ବିଶ୍ୱ ଶର୍ମାଙ୍କ ଦୁଇଟି ଟ୍ୱିଟକୁ ନେଇ ଗୋଟିଏ ଟ୍ବିଟ କରିଛନ୍ତି। ଦୁଇଟି ଟ୍ବିଟ ମଧ୍ୟରୁ ଗୋଟିଏରେ ହିମନ୍ତ ରାହୁଲଙ୍କୁ ସମର୍ଥନ କରି ଟ୍ବିଟ କରିଥିବା ବେଳେ ଅନ୍ୟଟିରେ ରାହୁଲଙ୍କୁ ସମାଲୋଚନା କରି ଟ୍ବିଟ କରିଛନ୍ତି। ଏହି ଦୁଇଟି ଟ୍ବିଟର ଫଟୋକୁ ଯୋଡି ଏକ ଟ୍ବିଟ କରିବା ସହ କଂଗ୍ରେସ ନେତା ମଣିକାମ ଟାଗୋର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସତର୍କ କରାଇଛନ୍ତି। ଟ୍ବିଟର କ୍ୟାପସନରେ ମଣିକାମ ଲେଖିଛନ୍ତି ଯେ, ପ୍ରିୟ ନରେନ୍ଦ୍ର ମୋଦୀଜୀ, ହିମନ୍ତ ବିଶ୍ୱ ଶର୍ମା କାହାକୁ ଠକୁଛନ୍ତି? ତାଙ୍କର ଟ୍ରାକ୍ ରେକର୍ଡରୁ ତାହା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ତାଙ୍କଠାରୁ ସତର୍କ ରୁହନ୍ତୁ। ମୁଁ ଜାଣେ ଆପଣ ତାଙ୍କୁ ଠକିବାକୁ ଦେବେ ନାହିଁ ବୋଲି ସେ କଟାକ୍ଷ କରି ଲେଖିଛନ୍ତି।





