ଭୁବନେଶ୍ୱର,୧୩/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା | ପୂର୍ବରୁ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବିଜୟ ପାଶଓ୍ବାନ। ତାଙ୍କ ଘର ବିହାରରେ ବୋଲି ଜଣାଯାଇଛି।
ଦୁର୍ଘଟଣା ଦିନ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ବଡ଼ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଦିନ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍ ଓ ମାଲଗାଡ଼ି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି।
ଉଲ୍ଲେଖଯୋଗ୍ୟ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୂର୍ବରୁ ସୂଚନା ଦେଇଥିଲେ ଯେ, ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଭୁବନେଶ୍ବରକୁ ମୋଟ୍ ୧୯୩ଟି ମୃତଦେହ ଆସିଥିଲା। ଏଥିରୁ ଏପର୍ଯ୍ୟନ୍ତ ୧୧୦ଟି ଚିହ୍ନଟ କରାଯାଇଛି। ଏଗୁଡ଼ିକ ସେମାନଙ୍କର ପରିବାର ଲୋକଙ୍କୁ ଦିଆଯାଇଛି। ବାଲେଶ୍ବରରେ ୯୪ଟି ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଭଦ୍ରକ ମେଡିକାଲରେ ଜଣେ ଟ୍ରେନ୍ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କର ମୃତଦେହ ତାଙ୍କର ପରିବାର ଲୋକଙ୍କୁ ଦିଆଯାଇଛି।





