ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା; ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର,୬/୨(ସତ୍ୟପାଠ ବ୍ୟୁରୋ):  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ମଙ୍ଗଳବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଂଚିଛି। ତିନି ଦିନିଆ ଗସ୍ତରେ ଆସିଥିବା ରାହୁଲଙ୍କୁ ଝାଡ଼ଖଣ୍ଡ ସୀମାନ୍ତ ବୀରମିତ୍ରପୁର ପ୍ରବେଶ ପଥରେ ଭବ୍ୟ ସ୍ୱାଗତ କରାଯାଇଛି। ରାହୁଲଙ୍କୁ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼. ଅଜୟ କୁମାର, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ବିଜୟ ପଟ୍ଟନାୟକ, ସୁର ରାଉତରାୟ, ତାରା ପ୍ରସାଦ ବାହିନୀପତି ଓ ରାଜ୍ୟର ଅନ୍ୟ ବରିଷ୍ଠ ନେତା ଓ ବିଧାୟକମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ପରେ ବିଶାଳ ଶୋଭାଯାତ୍ରା ବୀରମିତ୍ରପୁର ମୁଖ୍ୟ ମାର୍ଗ ଦେଇ ବସଷ୍ଟାଣ୍ଡରେ ପହଞ୍ଚିଥିଲା।

ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରେ ରାହୁଲ ଓ କେନ୍ଦ୍ରୀୟ ନେତା ବିର୍ସାମୁଣ୍ଡାଙ୍କ ପ୍ରତିମୃତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ଜନତାଙ୍କୁ ରାହୁଲ ସମ୍ବୋଧିତ କରିଥିଲେ। ପରେ କୁଆରମୁଣ୍ଡା ବିଜାବାହାଲ ରାମପାଲ ପଡ଼ିଆରେ ରାତ୍ରିଯାପନ କରିବେ।

ଆସନ୍ତାକାଲି (ବୁଧବାର) ରାମପାଲରୁ ବାହାରି ରାଉରକେଲା ଉଦିତନଗରରେ ପହଞ୍ଚିବେ। ପୂର୍ବାହ୍ନ ସାଢ଼େ ୯ଟାରେ ଆମ୍ବେଦକର ଛକରୁ ପଦଯାତ୍ରା ବାହାରିବ। ପ୍ରାୟ ୩.୪ କିଲୋମିଟର ପଦଯାତ୍ରା ପାନପୋଷ ଛକରେ ପହଞ୍ଚିବ। ସେଠାରେ ଜନସମାବେଶରେ ଯୋଗଦେବେ। ପୁନର୍ବାର ଯାତ୍ରା ଆରମ୍ଭ ହେବାସହ ରାଣୀବନ୍ଧ (ରାଜଗାଙ୍ଗପୁର)ରେ ମଧ୍ୟାହ୍ନଭୋଜନ କରିବେ। ସେଠାରେ ଜନ ସମାବେଶକୁ ଉଦ୍‌ବୋଧନ, କୁତ୍ରା ଓ ବଡ଼ଗାଁରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି।

ଯାତ୍ରା ଅପରାହ୍ନ ସାଢ଼େ ୪ଟାରେ ସୁନ୍ଦରଗଡ଼ ସହରରେ ପହଞ୍ଚିବାପରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରୁ ବାହାରି ଷ୍ଟାଡିୟମ ଛକଦେଇ ଏସ୍‌ବିଆଇ ଛକରେ ପହଞ୍ଚିବ। ସେଠାରେ ହେବାକୁ ଥିବା ଜନସମାବେଶରେ ଯୋଗଦେବେ। ଏହାପରେ ସେଠାରୁ ଝାରସୁଗୁଡ଼ା ଯାଇ ଅମଲିପାଲି ପଡ଼ିଆରେ ରାତ୍ରିଯାପନ କରିବେ। ୮ ତାରିଖ ସକାଳ ୮ଟାରୁ ଯାତ୍ରା ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମାଗାନ୍ଧୀ ଛକରୁ ବାହାରି ବେହେରାମାଲ କିସାନ ଛକରେ ପହଞ୍ଚିବ। ସେଠାରେ ଜନସଭାରେ ରାହୁଲ ଉଦ୍‌ବୋଧନ ଦେବେ। ପରେ ଗୋବିନ୍ଦପୁର ମଧୁବନ ଢାବାରେ ପ୍ରାତଃବିରତି, କୁରେଇମାଲରେ ମଧ୍ୟାହ୍ନଭୋଜନ ପରେ ମଧ୍ୟାହ୍ନ ୨ଟାରୁ କନକତୋରାରୁ ଯାତ୍ରା ଆରମ୍ଭ ହେବ। ଯାତ୍ରା ସୀମାନ୍ତ ରେଙ୍ଗାଲିପାଲି ରାୟଗଡ଼ ଦେଇ ଛତିଶଗଡ଼ରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି।

ଶୋଭାଯାତ୍ରରେ କେନ୍ଦ୍ରୀୟ ନେତା କେସି ବେନୁଗୋପାଳ, କହ୍ନେୟା କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଭାରତଯୋଡ଼ ନ୍ୟାୟ ଯାତ୍ରାର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ଏଆଇସିସି ସମ୍ପାଦକ ସେହନୱାଜ ଚୌଧୁରୀ, ବିଏମ୍‌ନ୍ଦୀପ, ବବିତା ଶର୍ମା ଦେବୀ, ମିଡିଆ ସେଲ୍‌ର ବିଶ୍ବରଞ୍ଜନ ମହାନ୍ତିଙ୍କ ସମେତ ରାଜ୍ୟ କଂଗ୍ରେସର ସମସ୍ତ ବିଧାୟକ ଓ ତୁଙ୍ଗନେତା ସାମିଲ ହେଇଥିଲେ।

Related Posts