ଭୁବନେଶ୍ୱର,୬/୨(ସତ୍ୟପାଠ ବ୍ୟୁରୋ): ଆଜି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି।(ଫେବ୍ରୁଆରି ୬ ତାରିଖ) ଓଡ଼ିଶାରେ ପହଞ୍ଚିବ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଦେଇ ଏହା ଆଗକୁ ବଢ଼ିବ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେଙ୍କ ପରେ ରାହୁଲ ଗାନ୍ଧୀଙ୍କ ଓଡ଼ିଆ ଆଗମନକୁ ନେଇ ରାଜ୍ୟ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ। ରାହୁଲଙ୍କ ଗସ୍ତ ପାଇଁ କଂଗ୍ରେସ ଟିମ୍ ରାଉରକେଲାରେ ପହଞ୍ଚି ସାରିଛନ୍ତି।
ଉପକୂଳ ଓଡ଼ିଶାରେ ଶ୍ରୀ ଖଡ଼୍ଗେ ନିର୍ବାଚନ ବିଗୁଲ ବଜାଇ ସାରିଥିବା ବେଳେ ପଶ୍ଚିମରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ। ଆସନ୍ତାକାଲି ଦିନ ସାଢ଼େ ୨ଟାରେ ରାହୁଲଙ୍କ ଯାତ୍ରା ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ପହଞ୍ଚିବ। ବାସଜୋଲଠାରୁ ୪୨ କି.ମି ଦୂର ଅତିକ୍ରମ କରି ଓଡ଼ିଶାର ବୀରମିତ୍ରପୁରଠାରେ ପହଞ୍ଚିବ। ସେଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି କର୍ମକର୍ତ୍ତା ତାଙ୍କୁ ସ୍ବାଗତ କରିବେ। ପରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯିବ। ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାହୁଲଙ୍କ ଏହି ଗସ୍ତ ନେଇ ଦଳୀୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ଜନସାଧାରଣ ବେଶ୍ ଉତ୍ସାହିତ। ଦେଶର ଜନସାଧାରଣଙ୍କୁ ନ୍ୟାୟ ଓ ଅଧିକାର ପ୍ରଦାନ ସହ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଏଲଢ଼େଇ ଜାରି ରହିବ। ଦୁର୍ନୀତିଗ୍ରସ୍ତ ବିଜେପି ଓ ବିଜେଡି ସରକାରକୁ ହଟାଇ କଂଗ୍ରେସ ଦେଶ ତଥା ରାଜ୍ୟରେ ସରକାର ଗଠନ କରିବ।
ଫେବ୍ରୁଆରି ୬ : ଦିନ ସାଢ଼େ ୨ଟାରେ ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ପହଞ୍ଚିବ ଯାତ୍ରା, ଝାଡ଼ଖଣ୍ଡ ବାସଜୋଲରୁ ବୀରମିତ୍ରପୁରରେ ପହଞ୍ଚିବେ ରାହୁଲ
ଫେବ୍ରୁଆରି ୭ : ରାଉରକେଲା ବିର୍ସା ମୁଣ୍ଡା ଛକରୁ ପାନପୋଷ ଛକ ଯାଏ ଯାତ୍ରା,ପାନପୋଷ ଛକରେ ସାଧାରଣ ସଭା,ରାଣୀବନ୍ଧୁରୁ ଯାତ୍ରା, କୁତ୍ରା, ବଡ଼ଗାଁରେ ଉଦ୍ବୋଧନ, ସୁନ୍ଦରଗଡ଼ରେ ପଦଯାତ୍ରା ଓ ଉଦ୍ବୋଧନ
ଫେବ୍ରୁଆରି ୮ : ଝାରସୁଗୁଡ଼ା ମହାତ୍ମା ଗାନ୍ଧୀ ଛକରୁ ଯାତ୍ରା ଆରମ୍ଭ । ଅପରାହ୍ଣ ୩ଟା ୪୫ରେ ଓଡ଼ିଶା-ଛତିଶଗଡ଼ ସୀମା ଅତିକ୍ରମ





