ଓଡ଼ିଶାରେ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ‘ଭାରତ ଯୋଡ଼ୋ’ ପଦଯାତ୍ରା

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ‘ଭାରତ ଯୋଡ଼ୋ’ ପଦଯାତ୍ରା । ତେବେ ଓଡ଼ିଶାରେ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଏହା ଆରମ୍ଭ ହେବ ଏହି ପଦଯାତ୍ରା। ରବିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସାଂସଦ ଜୟରାମ ରମେଶ।

ଏହି ଅବସରରେ ଶ୍ରୀ ରମେଶ ବିଜେପି ଓ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଉଭୟ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ପ୍ରଧାନମନ୍ତ୍ରୀଙ୍କ କଥାରେ ଏଠାକାର ମୁଖ୍ୟମନ୍ତ୍ରୀ ଉଠବସ ହୁଅନ୍ତି।

ସେ ଆହୁରି କହିଛନ୍ତି, ଆର୍‌ଏସ୍‌ଏସ୍‌, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଯୋଗୁ ଭାରତ ଖଣ୍ଡ ଖଣ୍ଡ ହେଉଛି। ଏଥିପାଇଁ ‘ଭାରତ ଯୋଡ଼ୋ’ ପଦଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶାରେ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ହୋଇଥିବାରୁ ଉଭୟ ଦଳ ବିପକ୍ଷରେ ‘ଭାରତ ଯୋଡ଼ୋ’ ପଦଯାତ୍ରା ହେବ।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ‘ଭାରତ ଯୋଡ଼ୋ’ ସଂପର୍କରେ ସୂଚନା ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଅକ୍ଟୋବର ୩୧ରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧି ପାର୍କରୁ ଏହି ଯାତ୍ରା ଆରମ୍ଭ କରାଯିବ। ରାଜ୍ୟରେ ୨୨୫୦ କିମିର ପଦଯାତ୍ରା କରାଯିବ। ଦୈନିକ ୨୦ କିମି ଯାତ୍ରା କରାଯିବ। ଏହି ଯାତ୍ରା ୨୦ଟି ସଂସଦୀୟ କ୍ଷେତ୍ର ଅତିକ୍ରମ କରିବ। ହାରାହାରି ଶହେ ଦିନ ଧରି ରାଜ୍ୟରେ ‘ଭାରତ ଯୋଡ଼ୋ’ ପଦଯାତ୍ରା ଚାଲିବ।

ଆଜି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଓ ଦଳର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Related Posts