ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଛି। ଏହି ଯାତ୍ରା ଦ୍ଵାରା ଦଳ ପୁଣି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି। ଅନ୍ୟପଟେ ଏହି ଯାତ୍ରା ସମୟରେ ବିଜେପି କ୍ରମାଗତ ଭାବେ କଂଗ୍ରେସ ଦଳ ଉପରେ ଟାର୍ଗେଟ କରୁଛି। ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜି କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡା ସମାଲୋଚନା କରିଛନ୍ତି। ସେ ଭାରତ ଯୋଡୋ ଯାତ୍ରାକୁ ନେଇ କହିଛନ୍ତି ଯେ, ଏହି ଯାତ୍ରା କଂଗ୍ରେସ ପାଇଁ ଏକ ବୁଷ୍ଟର୍ ଡୋଜ୍ ସଦୃଶ ଏବଂ ଦେଶର ରାଜନୀତି ପାଇଁ ଏହା ଏକ ନିର୍ଣ୍ଣାୟକ ତଥା ପରିବର୍ତ୍ତନଶୀଳ ମୁହୂର୍ତ୍ତ।
ଅନ୍ୟପଟେ ବିଜେପିର କଂଗ୍ରେସ ମୁକ୍ତ ଭାରତ ସ୍ଲୋଗାନକୁ ନେଇ ଜୟରାମ ରମେଶ କହିଛନ୍ତି ଯେ, କଂଗ୍ରେସ ଦଳ ଶେଷ ହୋଇ ନାହିଁ, କଂଗ୍ରେସ ଦଳ ଜୀବିତ ଅଛି। ମୁଁ ମୋଦୀ ଜୀ ଏବଂ ଗୁଲାମ ନବୀ ଆଜାଦଙ୍କୁ କହିବାକୁ ଚାହେଁ ଯେ ଆଜି ମଧ୍ୟ ଆମେ ନିର୍ବାଚନରେ ଜିତିଛୁ। ଆଜି ଲଦାଖ ହିଲ ପରିଷଦର ଟେମିସଗାମରେ କଂଗ୍ରେସ ଦଳ ବିପୁଳ ବ୍ୟବଧାନରେ ବିଜେପିକୁ ପରାସ୍ତ କରିଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ଦଳ ଏକ ହାତୀ ଏବଂ କଂଗ୍ରେସ ଦଳକୁ କେହି ଧ୍ୱଂସ କରିପାରିବେ ନାହିଁ। ଭାରତ କେବେ ବି କଂଗ୍ରେସ ମୁକ୍ତ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ବିରୋଧୀଙ୍କ ଏକତା ଉପରେ ଜୟରାମ ରମେଶ ମଧ୍ୟ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ଗୁଡିକ ଏବେ ସଂଗଠନ ବିଷୟରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ କଂଗ୍ରେସ ବିନା ଏକ ଶକ୍ତିଶାଳୀ ବିରୋଧୀ ଦଳ ଗଠନ ହୋଇପାରିବ ନାହିଁ।





