ଲୋକଙ୍କୁ ଠକି ସେହି ଅର୍ଥରେ ନିର୍ମାଣ ହେଉଥିଲା ଭୋଜପୁରୀ ସିନେମା; ଗିରଫ ହେଲେ ଶାଖା ମୁଖ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲୋକଙ୍କୁ ବିଭିନ୍ନ ପ୍ରତିଶୃତି ଦେଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିବା ପରେ ନିର୍ମାଣ କରୁଥିଲେ ଭଜପୁରୀ ସିନେମା । ଏଭଳି ସଙ୍ଗୀନ ଅଭିଯୋଗ ସକସେସ ଅନଲାଇନ ସର୍ଭିସ ସିଷ୍ଟମ ଲିମିଟେଡର ଟିମ ବ୍ରହ୍ମପୁର ଶାଖା ପରିଚାଳକ ନିଖିଳାନନ୍ଦ ପଶୁପାଳକ ନାମରେ ଆସିଛି । ଅଭିଯୁକ୍ତ ନିଖିଳାନନ୍ଦ ସିନେମାରେ ପୁଲିସ ଭୂମିକାରେ ଅଭିନୟ କରିଥିବା ତଦନ୍ତରୁ ଜଣାପଡ଼ିଛି। ସେପଟେ ଉତ୍ତରପ୍ରଦେଶର ଗାଜିଆବାଦ ବସୁନ୍ଧରାରେ ସକ୍ସେସ୍ ଅନ୍-ଲାଇନ୍ ସର୍ଭିସ୍ ସିଷ୍ଟମ ପ୍ରାଭିଭେଟ୍ ଲିମିଡେଟ୍ ନାମରେ ଏକ ଅର୍ଥଲଗାଣକାରୀ ସଂସ୍ଥା ଖୋଲିଥିଲା। ଗାଜିଆବାଦରେ ସଂସ୍ଥାର ମୁଖ୍ୟାଳୟ ରହିଥିବାବେଳେ ବ୍ରହ୍ମପୁର ଲୋଚାପଡ଼ାରେ ଏକ ଶାଖା କାର୍ଯାଳୟ ଖୋଲିଥିଲା। ନିଖିଳାନନ୍ଦ ଶାଖା ପରିଚାଳକ ଭାବେ କାର‌୍ୟ୍ୟ କରୁଥିଲେ। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ରମନ କୁମାର ସିଂ ଓ ସମ୍ପାଦକ ହେଉଛନ୍ତି ରାକେଶ କୁମାର। ୨୦୦୯-୧୦ରେ ଏହି ଶାଖା ଖୋଲିଥିଲା। ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ସଂସ୍ଥା ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିବାପରେ ହଠାତ୍ ୨୦୧୨ ଜାନୁଆରିରେ ବନ୍ଦ ହୋଇ ଯାଇଥିଲା।

ନିଖିଳାନନ୍ଦ ମଧ୍ୟ କୁଆଡ଼େ ଉଭାନ୍ ହୋଇ ଯାଇଥିଲେ। ଜମାକାରୀ ତାଙ୍କୁ ବହୁ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ଟଙ୍କା ଫେରି ପାଇ ନଥିଲେ। ଭଦ୍ରକ ଜିଲ୍ଲାର ପର୍ଶୁରାମ ବେହେରା ମଧ୍ୟ ପ୍ରାୟ ୮ଲକ୍ଷ ଟଙ୍କା ଏହି ସଂସ୍ଥାରେ ଜମା କରିଥିଲେ। ଟଙ୍କା ଫେରି ନପାଇବାରୁ ସେ ଗତ ୨୦୧୬ ଅଗଷ୍ଟ ୧୭ତାରିଖରେ କ୍ରାଇମ୍ବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ। କ୍ରାଇମ୍ବ୍ରାଞ୍ଚ୍ କେସ୍ ନମ୍ବର ୧୪/୧୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କ୍ରାଇମ୍ବ୍ରାଞ୍ଚ୍ ଓଇଡବ୍ଲୁ ମାମଲାର ତଦନ୍ତ କରିଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ ଏହି ଏସ୍ଓଏସ୍ଏସ୍ ଚିଟ୍ଫଣ୍ଡ ସଂସ୍ଥା ଓଡ଼ିଶାରୁ ପ୍ରାୟ ୫କୋଟି ଟଙ୍କା କଠେଇ କରିଥିବା ବେଳେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୫ଶହ କୋଟି ଠକେଇ କରିଛି। ଏହି ସଂସ୍ଥା ଓଡ଼ିଶା, ଦିଲ୍ଲୀ, ଝାଡ଼ଖଣ୍ଡ ଭଳି ରାଜ୍ୟରୁ ଟଙ୍କା ଠକେଇ କରିଛି।

ଶେଷରେ, ଧରାପଡ଼ିଥିବା ନିଖିଳାନନ୍ଦଙ୍କୁ ଇଓଡବ୍ଲୁ ଟିମ୍ ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟକୁ ଚାଲାଣ କରିଛି। ଯାଞ୍ଚ୍ ପରେ ଲୋଚାପଡ଼ାସ୍ଥିତ ଘରୁ ପାନକାର୍ଡ଼, ଚେକ୍ବୁକ୍, ଜମାକାରୀଙ୍କ ତାଲିକା, ଲିଫ୍ଲେଟ୍ ପ୍ରଭୃତି ଜବତ ହୋଇଛି। ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ଚିଟଫଣ୍ଡ କୋର୍ଟର ସ୍ବତନ୍ତ୍ର ପିପି ବିଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏସବୁ ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ଏସଓଏସଏସର ଅନ୍ୟତମ ଶାଖା କମ୍ପାନି ‘ସିନେ ଭିଜନ୍ ବ୍ୟାନର୍’ରେ ଲୋକଙ୍କଠାରୁ ଲୁଟ୍ ଟଙ୍କା ଭୋଜପୁରୀ ସିନେମା ପ୍ରସ୍ତୁତିରେ ମଧ୍ୟ ବିନିଯୋଗ କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts