ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ଭୋପାଳ ଗ୍ୟାସ୍ ଦୁର୍ଘଟଣାରେ ପୀଡିତଙ୍କୁ ମିଳିବ ନାହିଁ ଅତିରିକ୍ତ କ୍ଷତିପୂରଣ। ୟୁନିଫର୍ମ କାର୍ବାଇଡ୍ କମ୍ପାନୀ ୭୪୦୦ କୋଟିର ଅତିରିକ୍ତ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ରର କ୍ୟୁରେଟିଭ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି। କୋର୍ଟ କେନ୍ଦ୍ରର ଆବେଦନକୁ ଖାରଜ କରି ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡିତଙ୍କୁ କ୍ଷତିପୂରଣରେ ଘୋର ଅବହେଳା କରାଯାଇଥିବା ନେଇ ଭର୍ତ୍ସନା କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଦୀର୍ଘ ଦିନ ଧରି ପଡିରହିଥିବା ଦାବିକୁ ପୂରଣ କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ଆରବିଆଇ ପାଖରେ ଥିବା ୫୦ କୋଟି ଟଙ୍କା ବ୍ୟବହାର କରାଯିବ।
ଉଲ୍ଲେଖନୀୟ ଯେ, ୨ ଡିସେମ୍ବର ୧୯୮୪ରେ ରାତିରେ ଭୋପାଳରେ ମୃତ୍ୟୁ ଏଭଳି ତାଣ୍ଡବ କରିଥିଲା ଯେ, ଆଜି ପର୍ଯ୍ୟନ୍ତ ସେ କ୍ଷତ ଶୁଖି ନାହିଁ। ଭୋପାଳ ସ୍ଥିତ ୟୁନିୟନ କାର୍ବାଇଡ୍ ଫ୍ୟାକ୍ଟୟିରେ ହୋଇଥିବା ବିଷାକ୍ତ ଗ୍ୟାସ୍ ଲିକ୍ ଦ୍ବାରା ରାତିରେ ଶୋଇଥିବା ହଜାର ହଜାର ଲୋକଙ୍କ ସବୁଦିନ ପାଇଁ ମୃତ୍ୟୁ ହୋଇଯାଇଥିଲା। ଏହା ଦ୍ବାରା ପୁରା ସହରରେ ମୃତ୍ୟୁର ତାଣ୍ଡବ ସୃଷ୍ଟି ହୋଇଥିଲା। ମୃତକଙ୍କ ସଂଖ୍ୟା ୧୬୦୦୦ରୁ ଅଧିକ ଥିଲା।
ଗ୍ୟାସ୍ ଲିକର ଭୟାବହତା ତା’ର ପରବର୍ତ୍ତି ପୀଢି ଉପରେ ମଧ୍ୟ ପଡିଥିଲା । ହଜାର ହଜାର ଲୋକେ ଆଖି, ଶ୍ୱାସ, ଏବଂ ଅନ୍ୟ ସମସ୍ୟାର ଶିକାର ହୋଇଥିଲେ । ସବୁଠାରୁ ଦୁଃଖର କଥା ହେଉଛି , ଏହା ସାରା ବିଶ୍ୱର ସବୁଠୁ ବଡ ଉଦ୍ୟୋଗିକ ଦୁର୍ଘଟଣା ହୋଇଥିବାବେଳେ ଏହାର ମୁଖ୍ୟ ଅଭିଯୁକ୍ତ ୱାରେନ୍ ଏଣ୍ଡରସନ୍ କିନ୍ତୁ ଦଣ୍ଡ ପାଇନଥିଲା । ବାରମ୍ବାର ନୋଟିସ୍ ପରେ ବି କୋର୍ଟରେ ହାଜର ହୋଇନଥିଲା ଏଣ୍ଡରସନ୍ । ୧ ଫେବୃଆରୀ ୧୯୯୨ରେ ଏଣ୍ଡରସନକୁ ମୃତ ଘୋଷିତ କରାଯାଇଥିଲା, କିନ୍ତୁ ପ୍ରକୃତରେ ତା’ର ୨୦୧୪ରେ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ତାକୁ ଗିରଫ କରାଯାଇନଥିଲା କିମ୍ବା କୌଣସି ଦଣ୍ଡ ଦିଆଯାଇପାରିନଥିଲା । ଏବେବି ଏହି ଘଟଣାକୁ ନେଇ ଲାଗି ରହିଛି ଜନ ଅସନ୍ତୋଷ ।





