ବିହାର ବିଜେପିକୁ ବଡ ଝଟକା; ଦଳରୁ ଇସ୍ତଫା ଦେଲେ ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ, ଜେଡିୟୁକୁ ଯିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ବିହାରରେ ବିଜେପିକୁ ଲାଗିଛି ବଡ ଝଟକା । ପ୍ରଥମେ ମେଣ୍ଟ ସରକାରରେ ଥିବା ନୀତିଶ କୁମାର ବିଜେପିର ହାତ ଛାଡ଼ିବା ପରେ ଏବେ ଦଳରୁ ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ ଇସ୍ତଫା ଦେଇଛନ୍ତି । ରାଜୀବ ରଞ୍ଜନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ନେଇ ଦଳର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜୟଶୱାଲଙ୍କୁ ସୂଚନା ଦେଇଛନ୍ତି ।ସେ କେବଳ ଇସ୍ତଫା ଦେଇନାହାଁନ୍ତି ଏହାସହ ଦଳ ଉପରେ ଥିବା ନିଜର ଅଭିଯୋଗକୁ ଗଣମାଧ୍ୟମ ଆଗରେ କହିଛନ୍ତି ରାଜୀବ ରଞ୍ଜନ ।

ରାଜୀବ ରଞ୍ଜନ ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିହାରରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଓ ଆଦର୍ଶରୁ ଦୂରେଇ ଯାଇଛି । ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍ ସବକା ବିକାଶ’ କେବଳ କଥାରେ ରହିଥିବା କଥା ସେ ଅଭିଯୋଗ କରିଛନ୍ତି । ଏହାସହ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ପଛୁଆ, ଅତିପଛୁଆ, ଦଳିତ ସମାଜର ବିକାଶକୁ ବିରୋଧ କରୁଛି ।

ତେବେ ରାଜୀବ ରଞ୍ଜନଙ୍କ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଜେପି ପକ୍ଷରୁ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିସ୍କୃତ କରାଯାଥିଲା । ସେପଟେ ରାଜୀବ ରଞ୍ଜନ ରାଜ୍ୟ ଅଧ୍ୟକ୍ଷ ସଂଜୟ ଜୟଶ୍ୱାଲଙ୍କୁ ଅନୁରୋଧ କରିଛନ୍ତି କି, ତୂୁରନ୍ତ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଉ ।

ସେପଟେ ରାଜୀବ ରଞ୍ଜନ କିଛିିଦିନ ତଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ । ଏହି କାରଣରୁ ଏବେ ଚର୍ଚ୍ଚା ହେଉଛି କି ସେ ବିଜେପି ଛାଡି ଜେଡିୟୁରେ ଯୋଗଦେବେ । ହେଲେ ଏନେଇ ରାଜୀବ ରଞ୍ଜନ କିଛି ସ୍ପଷ୍ଟ କରିନାହାଁନ୍ତି ।

Related Posts