ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ ଝଟକା। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜଗଦୀଶ ଶେଟ୍ଟର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ବାଙ୍ଗାଲୋର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ତେବେ ଯେବେଠାରୁ ସେ ବିଜେପି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ସେବେଠାରୁ ସେ କଂଗ୍ରେସରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା।
ରବିବାର ଦିନ ସେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ଏହି ସମୟରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡି. ଶିବକୁମାର କହିଥିଲେ ଯେ, ଜଗଦୀଶ ଶେଟ୍ଟରଙ୍କୁ ଦଳର ନୀତି ଏବଂ ନେତୃତ୍ୱ ସହ ସହମତ ହେବାକୁ ପଡ଼ିବ। ଦେଶକୁ ଏକଜୁଟ କରିବା ଆମର ପ୍ରୟାସ ଜାରି ରହିଛି ଏବଂ କେବଳ କଂଗ୍ରେସ ଏହା କରିପାରିବ।
ଶେଷରେ ଆଜି ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, କଂଗ୍ରେସ ନେତା ସିଦ୍ଧରମୈୟା, କେସି ଭେନୁଗୋପାଲ, ରଣଦୀପ ସୁରଜେୱାଲା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଲିଙ୍ଗାୟତ ସମ୍ପ୍ରଦାୟରୁ ଆସୁଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଗଦୀଶ ଶେଟ୍ଟର ଅନ୍ୟତମ। ଏହି କାରଣରୁ ସେ ବାହାରିଯିବା ବିଜେପି ପାଇଁ ଏକ ବଡ କ୍ଷତି ବୋଲି କୁହାଯାଉଛି। ସେ ରବିବାର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।
ସେପଟେ କଂଗ୍ରେସରେ ଯୋଗଦେବା ପରେ ଜଗଦୀଶ ଶେଟ୍ଟର କହିଛନ୍ତି, ମୁଁ କର୍ଣ୍ଣାଟକରେ ବିଜେପିକୁ ତିଆରି କଲି କିନ୍ତୁ ଶେଷରେ ଦୁର୍ବ୍ୟବହାର ପାଇଲି। ମୋ ଭଳି ବରିଷ୍ଠ ନେତାଙ୍କ ପ୍ରତି କର୍ଣ୍ଣାଟକ ବିଜେପି ଉତ୍ତମ ଆଚରଣ ପ୍ରଦର୍ଶନ କଲାନାହିଁ। ସଦାସର୍ବଦା ମୁଁ ରେକର୍ଡ ସଂଖ୍ୟକ ଭୋଟ୍ରେ ବିଜୟୀ ହୋଇ ବିଜେପିକୁ ଗୌରବାନ୍ବିତ କରିଛି ଏବଂ ରହିଥିବା ପ୍ରତ୍ୟେକ ପଦବୀରେ ଭଲ କାର୍ଯ୍ୟ ମଧ୍ୟ କରିଛି। ହେଲେ ଦଳ ମତେ ବିଶ୍ୱାସକୁ ନେଇ ନାହିଁ। ମୁଁ ଆଉ ମୋର ଆତ୍ମସମ୍ମାନକୁ ଆଘାତ ଦେଇ ପାରିବି ନାହିଁ।ଏହାପରେ ସେ ବିଜେପିକୁ ତୀବ୍ର ସମାଲୋଚନା କରି କହିଛନ୍ତି, ବରିଷ୍ଠ ନେତାମାନେ ମୋ ସହିତ ଦୁର୍ବ୍ୟବହାର କଲେ। ଟିକେଟ ନ ଦେଇ ଅପମାନ ଦେଲେ।ଏହା ସହିତ ୭ମ ଥର ବି ମୁଁ ହୁବ୍ବାଲି-ଧର୍ୱାଡ୍ ଆସନରେ ବିଜୟୀ ହେବି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।





