ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା, ଜବତ ହେବ ସଂପତ୍ତି

ଭୁବନେଶ୍ଵର,୩/୩(ସତ୍ୟପାଠ ବ୍ୟୁରୋ): ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ ଝଟକା। ସଂପତ୍ତି ଜବତ ନେଇ ମୁମ୍ବାଇ ଅଦାଲତ ଦେଇଥିବା ରାୟକୁ କାଏମ ରଖିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ଏଥିସହ ମୁମ୍ବାଇ ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହା ପରେ ଏବେ ବିଜୟ ମାଲ୍ୟାଙ୍କ ସଂପତ୍ତି ଜବତ କରିବା ପଥ ଆହୁରି ପରିଷ୍କାର ହୋଇଛି।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ମାଲ୍ୟାଙ୍କ ଓକିଲ ଦାବି କରିଥିଲେ ଯେ, ତାଙ୍କୁ ନିଜ ମହକିଲଙ୍କଠୁ କୌଣସି ସୂଚନା ମିଳିନାହିଁ। ସେ ଖୋଦ୍ ନିଜେ ଅନ୍ଧାରରେ ଅଛନ୍ତି। ତେଣୁ ଏହି ମାମଲାରେ ମାଲ୍ୟାଙ୍କୁ ଝଟକା ଲାଗିବା ସ୍ଵାଭାବିକ ଥିଲା। କାରଣ ତାଙ୍କ ପାଇଁ କେସ୍ ଲଢୁଥିବା ଓକିଲ ନିଜେ ଅନେକ ପ୍ରସଙ୍ଗରେ ଅନଭିଜ୍ଞ ଅଛନ୍ତି। ଏବେ ମାଲ୍ୟାଙ୍କୁ ଏକ ସଙ୍ଗେ ଦୁଇଟି ବଡ ଝଟକା ଲାଗିଛି। ଗୋଟିଏ ପଟେ ସେ ଆର୍ଥିକ ଅପରାଧୀ ରହିବା ସହ ଅନ୍ୟପଟେ ତାଙ୍କ ସଂପତ୍ତି ଜବତ ହେବାକୁ ଯାଉଛି।

ଗତ ବର୍ଷ ନଭେମ୍ବରରେ ବିଜୟ ମାଲ୍ୟାଙ୍କ ଏକ ମାମଲା ଲଢିବାକୁ ଓକିଲ ମନା କରି ଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ବିଜୟ ମାଲ୍ୟାଙ୍କ ବିବାଦ ଜାରି ରହିଛି। ଉକ୍ତ ମାମଲାରେ ଆଡଭୋକେଟ୍ ଇସି ଅଗ୍ରଓ୍ଵାଲ ମାଲ୍ୟାଙ୍କ ଓକିଲ୍ ଭାବେ କେସ୍ ଲଢୁଛନ୍ତି। ନିକଟରେ ହୋଇଥିବା ଶୁଣାଣି ସମୟରେ ଇସି ଅଗ୍ରଓ୍ଵାଲ ମାଲ୍ୟାଙ୍କ କେସ୍ ଲଢିବାକୁ ମନା କରି ଦେଇଥିଲେ। ସେ ପ୍ରଧାନ ବିଚାପରତି ଡିଓ୍ଵାଇ ଚନ୍ଦ୍ରଚୂଡ ଏବଂ ହିମା କୋହଲିଙ୍କ ଖଣ୍ଡପୀଠରେ କହିଥିଲେ ଯେ ମୋ ସୂଚନା ହିସାବରେ ବିଜୟ ମାଲ୍ୟା ବର୍ତ୍ତମାନ ବ୍ରିଟେନ୍‌ରେ ଅଛନ୍ତି। ମାତ୍ର ସେ ମୋ ସହ କଥା ହେଉ ନାହାନ୍ତି। ମୋ ନିକଟରେ କେବଳ ତାଙ୍କର ଇମେଲ୍ ଠିକଣା ରହିଛି ବୋଲି ସେ କହିଥିଲେ।

Related Posts