କେସିଆରଙ୍କୁ ବଡ ଝଟ୍‌କା: ବିଆର୍‌ଏସ୍‌ର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର, ୨୭/୦୬ (ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ଦଳ ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି)ର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସୋମବାର ଦିନ କେସିଆରଙ୍କ ଦଳର ନେତାମାନେ କଂଗ୍ରେସରେ ମିଶିଛନ୍ତି।

ମିଳିଥିବା ସୂଚନାନୁଯାୟୀ ମୋଟ ୩୫ ଜଣ ନେତା ଆଗକୁ କଂଗ୍ରେସରେ ଯୋଗ ଦେଇପାରନ୍ତି। ବିଜେପିରୁ ମଧ୍ୟ କିଛି ନେତା କଂଗ୍ରେସରେ ଯୋଗ ଦେଇପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବ‌ର୍ଷ ଶେଷ ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଶକ୍ତ ଝଟ୍‌କା ଲାଗିଛି। ପାଟନାରେ ଆୟୋଜିତ ବିରୋଧୀ ବୈଠକକୁ କେସିଆରଙ୍କ ଦଳ ବର୍ଜନ କରିବାପରେ ସୋମବାର ଦଳକୁ ଏହି ଝଟକା ଲାଗିଛି। କଂଗ୍ରେସ ଦଳରେ ଯୋଗ ଦେଇଥିବା ବିଆରଏସ୍‌ ନେତାମାନଙ୍କ ମଧ୍ୟ‌ରେ ଅଛନ୍ତି ପୂର୍ବତନ ସାଂସଦ ପୋଙ୍ଗୁଲେତି ଶ୍ରୀନିବାସ ରେଡ୍ଡି, ପୂର୍ବତନ ମନ୍ତ୍ରୀ ଜୁପାଲ୍ଲି କ୍ରୀଷ୍ଣା ରାଓ, ପୂର୍ବତନ ବିଧାୟକ ପଣ୍ୟମ ଭେଙ୍କଟେସ୍ବରଲୁ, କୋଟା ରାମ ବାବୁ, ରାକେଶ ରେଡ୍ଡି।

Related Posts