ନୀତିଶ କୁମାରଙ୍କ ସୁରକ୍ଷାରେ ବଡ ତ୍ରୁଟି; ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ସାମ୍ନାକୁ ମାଡି ଆସିଲା ବାଇକ୍‌

ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ନୀତିଶ କୁମାର ଆଜି ମର୍ଣ୍ଣିଂ ୱାକରେ ବାହାରି ଥିବା ସମୟରେ ଏକ ବାଇକ୍‌ ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ନିବାସ ସ୍ଥିତ ମାର୍ଗ ଦେଇ ସକାଳେ ମର୍ଣ୍ଣି ୱାକ୍ କରିବାକୁ ବାହାରଥିଲେ । ଏହି ସମୟରେ ଏକ ବାଇକ୍ ଚାଳକ ତାଙ୍କ ସାମ୍ନାରେ କଟ୍‌ ମାରିନେଇଥିଲା ।ଫଳରେ ନୀତିଶ ଫୁଟପାଥ ଉପରକୁ ଚଢି ଯାଇଥିଲେ । ତେବେ ପୋଲିସ ବାଇକ୍‌ ଚାଳକକୁ ଗିରଫ କରିଛି ।

ଏହି ଘଟଣା ପରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଏଭଳି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସଏସଜି କମାଣ୍ଡାଣ୍ଟ ଏବଂ ଅଧିକାରୀଙ୍କୁ ଡକାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପାଟନା ନିବାସରେ ମିଟିଂ ହେବ ।

ତେବେ ଏହି ମାମଲାରେ ସବିଶେଷ ବିବରଣୀ ଏପର୍ଯ୍ୟନ୍ତ ଆସିନାହିଁ । କୁହାଯାଉଛି, ବାଇକ ଚାଳକ ଜଣକ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ଗାଡି ନେଇ ଯିବାରୁ ମୁଖ୍ୟମନ୍ତ୍ରୀ ଫୁଟପାଥରେ ଚଢିଯାଇଥିଲେ । ନହେଲେ ଏକ ବଡ ଦୁର୍ଘଟଣା ଘଟିଯାଇଥାନ୍ତା । ମୁଖ୍ୟମନ୍ତ୍ରୀ ସତର୍କ ନଥିଲେ ହୁଏତ ଅନ୍ୟ କିଛି ଦୁର୍ଘଟଣା ହୋଇଥାନ୍ତା । ବାଇକ ଚାଳକକୁ ତୁରନ୍ତ ଗିରଫ କରାଯାଇଛି । ଯୁବକଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ପାଟନାରେ ବାଇକ ଗ୍ୟାଙ୍ଗର ଆତଙ୍କ ରହିଛି । ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଚେନ୍‌ ଲୁଟ୍‌ କରନ୍ତି । ଯାହାର ଅନେକ ଭିଡିଓ ମଧ୍ୟ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ କେମିତି ଏତେ ବଡ ତ୍ରୁଟି ହେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

Related Posts