ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ ପରେ ଆପ ଗୁଜୁରାଟ ବିଧାନସଭା ନିର୍ବାଚନକୁ ଫୋକସରେ ରଖିଛି । ଏନେଇ ଅରବିନ୍ଦ କେଜ୍ରିୱାଲ ଓ ଭଗୱନ୍ତ ମାନ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ମଧ୍ୟ ଯାଇଥିଲେ । ଏହା ମଧ୍ୟରେ ଗୁଜୁରାଟ ଗସ୍ତ କରିବା ଦ୍ୱାରା ଆମ ଆଦମି ପାର୍ଟି ଏକ ବଡ଼ କ୍ଷତି ସହିଥିବାର କଥା ସାମ୍ନାକୁ ଆସିଛି । ତେବେ ଦଳର ପ୍ରାୟ ୧୫୦ ଜଣ ନେତା ଓ କର୍ମୀ ଆପ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କେବଳ ଆପ ନୁହେଁ ବରଂ ଏହି ସମୟ ମଧ୍ୟରେ କଂଗ୍ରେସ ମଧ୍ୟ କ୍ଷତି ସହିଛି। ଦଳର ଅନେକ ସଦସ୍ୟ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଗୁଜୁରାଟ ଗସ୍ତ ସାରି ଫେରୁଫେରୁ ଏତେ ସଂଖ୍ୟକ ଆପ ନେତା ନିଜ ଦଳ ବଦଳାଇ ଦେଇଛନ୍ତି।
ଏହାକୁ ନେଇ ଗୁଜୁରାଟ ବିଜେପିର ସାଧାରଣ ସମ୍ପାଦକ ପ୍ରଦୀପସିଂହ ବାଘେଲା କହିଛନ୍ତି, “ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଘରେ ନ ପହଞ୍ଚୁଣୁ ତାଙ୍କ ଦଳର ଅନେକ ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେମାନେ ଗୁଜୁରାଟର ଲୋକଙ୍କୁ ବୋକା ବନାଇ ପାରିବେ ନାହିଁ। ତାଙ୍କର ଗୁଜୁରାଟ ଗସ୍ତର କୌଣସି ଅର୍ଥ ନାହିଁ। ଗୁଜୁରାଟବାସୀଙ୍କ ଆଶୀର୍ବାଦ ବିଜେପି ଉପରେ ଅଛି। ନୂତନ ନେତାମାନଙ୍କୁ ଦଳକୁ ସ୍ୱାଗତ କରି ବାଘେଲା କହିଛନ୍ତି, ଆଜି ଆପଣ ଆପ ଏବଂ କଂଗ୍ରେସ ଛାଡିଛନ୍ତି। ସେମାନେ କହିବେ ଯେ ତୁମେମାନେ ଅଦରକାରୀ ଥିଲ ଜ୍ଝ କିନ୍ତୁ, ମୁଁ କହିବାକୁ ଚାହେଁ ଗୁଜୁରାଟର ବିକାଶ ପାଇଁ ଆପଣମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





