ଭୁବନେଶ୍ୱର,୬/୫(ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଆସନ୍ତା ୯ ତାରିଖରେ ଓଡ଼ିଶା ଆସି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତିଶ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବେଳେ ନବୀନଙ୍କୁ ଭେଟିବାକୁ ଯାଉଛନ୍ତି । ତେବେ ଏହି ଦୁଇ ନେତାଙ୍କ ଭେଟଘାଟ ଉପରେ ଉପରେ ସମସ୍ତଙ୍କ ନଜର ରହିଛି ।
ଅଣ ବିଜେପି ଦଳ ଗୁଡ଼ିକୁ ଏକାଠି କରିବା ଲାଗି ନୀତିଶ କୁମାର ପ୍ରୟାସ କରୁଛନ୍ତି । ଗତ ଏପ୍ରିଲରେ ନୀତିଶ କୁମାର ଦିଲ୍ଲୀ ଯାଇ ଏକାଧିକ ବିରୋଧୀ ନେତାଙ୍କୁ ଭେଟିଥିଲେ । କହିଥିଲେ ସେ ଦେଶ ସାରା ବୁଲି ବିରୋଧୀଙ୍କୁ ଏକାଠି କରିବେ । ପରେ ପଶ୍ଚିମବଙ୍ଗ ଯାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିଥିଲେ ନୀତିଶ। ଏହି କ୍ରମରେ ନୀତିଶ ଆସନ୍ତା ୯ ତାରିଖରେ ଓଡ଼ିଶା ଆସି ନବୀନଙ୍କୁ ଭେଟିବେ । ବିଜୁ ଜନତା ଦଳର ସଭାପତି ନବୀନଙ୍କୁ ନୀତିଶ ୯ ତାରିଖ ଦିନ ୧୨ଟାରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ତେବେ ସବୁବେଳେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ କଥା କହୁଥିବା ନବୀନ, ନୀତିଶଙ୍କୁ ଭେଟିବା ପରେ କଣ ନିଷ୍ପତ୍ତି ନେବେ ? ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନବୀନ ଓ ବିଜୁ ଜନତା ଦଳର ଆଭିମୁଖ୍ୟ କଣ ରହିବ ? ବିରୋଧୀ ମେଣ୍ଟରେ ସାମିଲ୍ ହୋଇ ବିଜେଡି ବିଜେପିକୁ ଜାତୀୟ ରାଜନୀତିରେ ଟକ୍କର ଦେବ କି ? ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।





