“ଲୋକ ଭବନରେ ବିହାର ପ୍ରତିଷ୍ଠା ଦିବସ ପାଳନ: ବିବିଧତାରେ ଏକତାକୁ ଉଲ୍ଲେଖ କଲେ ରାଜ୍ୟପାଳ”

ଭୁବନେଶ୍ୱର:ଭୁବନେଶ୍ୱରର ଲୋକ ଭବନରେ ରବିବାର ବିହାର ରାଜ୍ୟର ପ୍ରତିଷ୍ଠା ଦିବସ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି କହିଛନ୍ତି ଯେ ବିଭିନ୍ନ ପରମ୍ପରା ପ୍ରତି ପାରସ୍ପରିକ ସମ୍ମାନ ଜାତୀୟ ଏକତାକୁ ସୁଦୃଢ କରେ।ଲୋକ ଭବନର ନୂତନ ଅଭିଷେକ ହଲରେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଇ ସେ କହିଥିଲେ, ଯେତେବେଳେ ଲୋକମାନେ ପରସ୍ପରର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ସହିତ ଗ୍ରହଣ କରନ୍ତି, ସେତେବେଳେ ସମାଜରେ ଆତ୍ମୀୟତା ଓ ସମ୍ପ୍ରୀତି ବୃଦ୍ଧି ପାଏ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ଭାରତ, ଶ୍ରେଷ୍ଠ ଭାରତ” ଧାରଣାକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏହା ଭାବନାତ୍ମକ ଏକତା ଓ ସାଂସ୍କୃତିକ ବୁଝାମଣାକୁ ଆଗେଇ ନେଇଥାଏ। ଏପରି ଉତ୍ସବଗୁଡ଼ିକ ଦେଶର ବିବିଧ ସଂସ୍କୃତିକୁ ଏକତ୍ର କରିବାରେ ସାହାଯ୍ୟ କରେ।ରାଜ୍ୟପାଳ ବିହାର ଓ ଓଡିଶା ମଧ୍ୟରେ ଥିବା ପ୍ରାଚୀନ ଐତିହାସିକ ସମ୍ପର୍କ ଉପରେ ମଧ୍ୟ ଆଲୋକପାତ କରିଥିଲେ। ମଗଧ ଓ କଳିଙ୍ଗର ସମ୍ପର୍କ ଓ କଳିଙ୍ଗ ଯୁଦ୍ଧର ପ୍ରଭାବକୁ ସ୍ମରଣ କରି ସେ କହିଥିଲେ ଯେ, ଦୁଇଁ ଅଞ୍ଚଳ ପୂର୍ବରୁ ଏକ ସାଧାରଣ ପ୍ରଶାସନିକ ଏକକର ଅଂଶ ଥିଲା।ବିହାରର ସମୃଦ୍ଧ ଐତିହ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ବିହାର ରାଜନୈତିକ ଶକ୍ତି, ଜ୍ଞାନ ଓ ଆଧ୍ୟାତ୍ମିକତାର କେନ୍ଦ୍ର ରୂପେ ପରିଚିତ। ସମ୍ରାଟ ଅଶୋକଙ୍କ ପରିବର୍ତ୍ତନ, ବୋଧଗୟାରେ ଭଗବାନ ବୁଦ୍ଧଙ୍କ ଜ୍ଞାନଲାଭ, ଭଗବାନ ମହାବୀରଙ୍କ ଶିକ୍ଷା ଓ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟ ବିହାରର ଗୌରବକୁ ପ୍ରତିବିମ୍ବିତ କରେ।ସେହିପରି ବିହାରର ସାଂସ୍କୃତିକ ପରମ୍ପରା, ମଧୁବଣୀ ଚିତ୍ରକଳା ଓ ଛଠ ପର୍ବ ଉପରେ ମଧ୍ୟ ଆଲୋକପାତ କରି ସେ କହିଥିଲେ ଯେ, ଏହା ମାନବ ଓ ପ୍ରକୃତି ମଧ୍ୟରେ ସମନ୍ୱୟକୁ ପ୍ରକାଶ କରେ।ଓଡିଶାରେ ବସବାସ କରୁଥିବା ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି ସାଂସ୍କୃତିକ ବିନିମୟ ଆନ୍ତଃରାଜ୍ୟ ସମ୍ପର୍କକୁ ମଜବୁତ କରି ଜାତୀୟ ସଂହତିକୁ ଶକ୍ତିଶାଳୀ କରେ।ଏହି ଅବସରରେ ରାଜ୍ୟର ପ୍ରଥମ ମହିଳା ଡ଼ଃ ଜୟଶ୍ରୀ କମ୍ଭମପାଟିଙ୍କ ସହିତ ଏଡିଜି ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ଆକାଉଣ୍ଟାଣ୍ଟ ଜେନେରାଲ ଅତୁଲ ପ୍ରକାଶ ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରଙ୍ଗିନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା, ଯାହା ଉତ୍ସବକୁ ଆହୁରି ଆକର୍ଷଣୀୟ ।

Related Posts