ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ହତ୍ୟା ଷଡ଼ଯନ୍ତ୍ର । ଦଲାଇଲାମାଙ୍କ ଉପରେ ଗୁଇନ୍ଦାଗିରି କରୁଥିବା ଏବଂ ତାଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଜଣେ ଚୀନ ମହିଳାଙ୍କୁ ବିହାର ପୋଲିସ ଅଟକ ରଖିଛି । ସନ୍ଦିଗ୍ଧ ଚୀନ ଗୁପ୍ତଚରଙ୍କୁ ଜେରା କରୁଛି ବିହାର ପୋଲିସ । ଗୁରୁବାର ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ବୋଧଗୟା ଗସ୍ତ ଅବସରରେ ତାଙ୍କ ପ୍ରତି ଜଣେ ଚୀନ୍ ମହିଳାଙ୍କ ଠାର ବିପଦ ଆଶଙ୍କା କରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା ।
ତେବେ ଏହି ଚୀନ ମହିଳାଙ୍କୁ ଠାବ କରିବା ପାଇଁ ପୁଲିସର ଏକାଧିକ ଟିମ୍ ନିୟୋଜିତ ହୋଇଥିଲେ । କେନ୍ଦ୍ର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଏକ ସୁରକ୍ଷା ପ୍ରସଙ୍ଗ ଦର୍ଶାଇ ବିସ୍ତୃତ ଭାବେ କିଛି କୁହାଯାଇ ନାହିଁ । ପୁଲିସ ସନ୍ଦିଗ୍ଧ ମହିଳାଙ୍କ ଏକ ସ୍କେଚ୍ ଜାରି କରିବାର କିଛି ଘଣ୍ଟା ମଧ୍ୟରେ ହିଁ ତାଙ୍କୁ ଠାବ କରିଥିଲା । ଚୀନ ମହିଳାଙ୍କ ନାମ ସଙ୍ଗ୍ ସାଓଲାନ, ଗଣମାଧ୍ୟମରେ ମହିଳାଙ୍କ ପାସପୋର୍ଟ, ଏବଂ ଭିସା ମଧ୍ୟ ସେୟାର କରାଯାଇଛି ।
ତେବେ ଦଲାଇଲାମା ମାସେ ପାଇଁ ବୋଧଗୟାରେ ରହିବେ। ଗୁରୁବାର ଠାରୁ ଏଠାରେ ଦଲାଇଲାମା ଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦେଶବିଦେଶରୁ ୬୦ ହଜାର ଲୋକ ଏଠାରେ ପହଞ୍ଚିଛନ୍ତି। ଏହାରି ମଧ୍ୟରେ ଉକ୍ତ ଚୀନ ମହିଳା ମଧ୍ୟ ଏଠାରେ ପହଞ୍ଚିଛନ୍ତି। ତେବେ ଦଲାଇଲାମାଙ୍କ ସହ ମହାବୌଦ୍ଧି ମନ୍ଦୀରକୁ ବି ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ଗୟା ଏସ୍ପି କହିଛନ୍ତି।





