ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ଫୋକସ୍ରେ ପଶ୍ଚିମ ଓଡ଼ିଶା । ରବିବାର ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ସୋହେଲା ଘେଁସଘେଁସ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବା ସହିତ ବିଜୁ ଏକ୍ସପ୍ରେସ ୱେ ଜନସାଧାରଣଙ୍କ ଜୀବନରେଖା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସାଧାରଣ ସଭା ଶେଷ ହେବା ପରେ ବିଜୁ ଏକ୍ସପ୍ରେସ ୱେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ କରିଛନ୍ତି। ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି । ଏଥି ସହିତ ଏହି ତିନି ଗୋଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବରଗଡ ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି ।
ବିଜୁବାବୁଙ୍କ ଜନ୍ମଦିନରେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଏକ୍ସପ୍ରେସ ୱେ କେବଳ ରାସ୍ତା ନୁହେଁ ଏହା ଜୀବନରେଖା। ସମ୍ବଲପୁରରୁ ରାଉରକେଲା ରାସ୍ତା ବିଜୁବାବୁ ହିଁ ୧୯୯୩ରେ ଆରମ୍ଭ କରିଥିଲେ। ବିଜୁ ଏକ୍ସପ୍ରେସ ୱେ ବିକାଶର ନୂଆ ଇତିହାସ ଲେଖିବ। ଚାଷୀ ହୁଅନ୍ତୁ କି ସାଧାରଣ ଲୋକେ ରାସ୍ତା ହେବା ଦ୍ୱାରା ସମସ୍ତେ ସୁବିଧା ପାଇବେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବ। ଛାତ୍ରଛାତ୍ରୀଙ୍କର ସୁବିଧା ହେବ, ନୂଆ ନୂଆ ଶିଳ୍ପ ଗଢ଼ି ଉଠିବ। ବିଜୁ ଏକ୍ସପ୍ରେସ ୱେ ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି। ଏହାଦ୍ବାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ। ଇକୋନୋମିକ କରିଡରରେ ପୁଞ୍ଚି ବିନିଯୋଗ ପାଇଁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ବିଜୁ ଏକ୍ସପ୍ରେସ ଓ୍ବେ ଆଉ ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜୁବାବୁଙ୍କ ସ୍ବପ୍ନ ଥିଲା ସୁସ୍ଥ ଓଡ଼ିଶା । ସେ ଦିଗରେ ରାଜ୍ୟ ସରକାର ସଫଳତାର ସହ ଆଗକୁ ବଢୁଛନ୍ତି । ବରଗଡ଼ ବିକାଶକୁ ଆହୁରି ଆଗକୁ ନେବା ପାଇଁ ୨ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରାଯାଇଛି। ବିଜୁବାବୁ ଥିଲେ ଓଡ଼ିଶାବାସୀଙ୍କ ସବୁଠାରୁ ବଡ଼ ଭରସା। ଏ ମାଟି ଓ ମାଟିର ମଣିଷର ସ୍ବପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିଥିଲେ। ଜଣେ ଓଡ଼ିଆ ଭାବେ ସେ ଗର୍ବ କରୁଥିଲେ ଏବଂ ସେ ମହାନ ଓଡ଼ିଆଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।





