ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ବିଜୁ ଜନତା ଦଳର ତିନି ଜଣ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ବିଜେଡିର ତିନି ଜଣ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଏନେଇ ସୂଚନା ମିଳିଛି । ଏହି ତିନି ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି । ବିଧିବଦ୍ଧ ଭାବେ ଆଜି ରିଟର୍ଣ୍ଣିଂ ଅଫିସର ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଏ ନେଇ ପ୍ରମାଣ ପତ୍ର ଦେଇଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ଏ.ଭାସ୍କର ରାଓଙ୍କ ସ୍ଥାନରେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭା ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେହିପରି ସସ୍ମିତ ପାତ୍ର ମଧ୍ୟ ଦ୍ଵିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ଖାଲିଥିବା ୪ଟି ରାଜ୍ୟସଭା ଆସନ ପାଇଁ ଗତ ମାସ ୩୧ ତାରିଖରେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ପ୍ରାର୍ଥୀମାନେ ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ କେତେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।

ଆସନ୍ତା ୧୦ ତାରିଖରେ ରାଜ୍ୟର ତିନିଟି ରାଜ୍ୟସଭା ସଭ୍ୟ ପଦବି ପାଇଁ ନିର୍ବାଚନ ହେବାକୁ ଥିବାବେଳେ ମେ’ ମାସ ୩୧ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା। କିନ୍ତୁ ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଇନଥିବାରୁ ଶାସକ ଦଳର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଛନ୍ତି।

ସେହିପରି ରାଜ୍ୟସଭା ସାଂସଦ ସୁବାସ ସିଂହ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ପୂରଣ କରିବା ଲାଗି ଜୁନ୍ ୧୩ ତାରିଖରେ ଉପନିର୍ବାଚନ ହେବ। ଏହି ଗୋଟିଏ ରାଜ୍ୟସଭା ଆସନ ପାଇଁ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଜୁନ୍ ୨ତାରିଖ ଥିଲା। ଏହି ପଦବି ପାଇଁ ମଧ୍ୟ ବିରୋଧୀ ପ୍ରାର୍ଥୀ ଦେଇନାହାନ୍ତି।

Related Posts