ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ, ବାଲୁଗାଁ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ ଏବଂ ବିଦେଶୀଙ୍କ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଦିନ ୧୨ ଯାଏଁ ପକ୍ଷୀଗଣନା କାମ ଚାଲିଛି । ଏଥି ପାଇଁ ମୋଟ ୨୧ଟି ନିୟୋଜିତ ହୋଇଛନ୍ତି ।
ଖବର ଅନୁଯାୟୀ, ଚଳିତ ବର୍ଷ ସମଗ୍ର ଚିଲିକା ଯଥା ଖୋର୍ଦ୍ଧା ଜିଲ୍ଲା, ଗଞ୍ଜାମ ଜିଲ୍ଲା ଏବଂ ପୁରୀ ଜିଲ୍ଲା ସଲଗ୍ନ ଚିଲିକାରେ ଶୀତ ଋତୁରେ କେତେ ସଂଖ୍ୟକ ଏବଂ କେତେ ପ୍ରଜାତିର ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି ।ତାହାର ରେକର୍ଡ କରାଯିବା ପାଇଁ ସରକାରୀ ଭାବେ ଗଣନା କରାଯାଇଥାଏ । ପକ୍ଷୀଙ୍କ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ, ବାଲୁଗାଁ ଅଧିନରେ ଥିବା ୫ଟି ରେଞ୍ଜ (ଚିଲିକା , ସାତପଡ଼ା , ରମ୍ଭା , ନୂଆପଡା , ଟାଙ୍ଗୀ ) ରେ ସର୍ବମୋଟ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି ।
ତେବେ ସ୍ଥଳପଥରେ ୨ଟି ଟିମ୍ ଏବଂ ଜଳ ପଥରେ ୧୯ଟି ଟିମ୍ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ପ୍ରତି ଟିମ୍ ରେ ୫/୬ ଜଣ ଗଣନାକାରୀ ଅଛନ୍ତି । ପକ୍ଷୀ ଗଣନା ସମୟରେ ଚିଲିକା ମଧ୍ୟକୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି। ପକ୍ଷୀ ଗଣନା ପରେ e_birds app ନାମକ ଏକ ସାଇଟ୍ରେ ରେକର୍ଡ କରାଯିବ ।
ବାଇନା-କୁଲାର୍ ,ବାର୍ଡସ୍ ଗାଇଡ୍ ବୁକ୍ , କ୍ୟାମେରା ଏବଂ GPS ଟ୍ରାକରେ ବାର୍ଡ-ଏକ୍ସପର୍ଟମାନଙ୍କ ସାହାଯ୍ୟରେ ଏହି ଗଣନା କରାଯାଉଛି । ଏହି ଗଣନା କାର୍ଯ୍ୟ ପାଇଁ ୧୨୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହି ଗଣନା କାର୍ଯ୍ୟରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତା , OUATର କର୍ମଚାରୀ – ଛାତ୍ର ଛାତ୍ରୀ , CDAର କର୍ମଚାରୀ , ପକ୍ଷୀ ବିଶେଷଜ୍ଞ , ପରିବେଶବିତ୍ ମାନେ ସାମିଲ ହୋଇଛନ୍ତି ।





