ମୁମ୍ବାଇ: ମୁମ୍ବାଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ଙ୍କ ଇଣ୍ଟେଲିଜେନ୍ସି ଅଫିସର ବିଶ୍ୱନାଥ ତିୱାରୀଙ୍କୁ ଚାକିରୀରୁ ବରଖାସ୍ତ । ସୁଶାନ୍ତ ସିଂହ ରାଜପୁତ ଓ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କେସ୍ରେ କାର୍ଯ୍ୟାନୁଷ୍ଠାନ ନେଇ ତଦନ୍ତ କରୁଥିଲେ ବିଶ୍ୱନାଥ ତିୱାରୀ ।
ଉଲ୍ଲେଖ ଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ବିଶ୍ୱନାଥ ମାମଲା ସହ ସମ୍ପୃକ୍ତ ସେଲିବ୍ରିଟିମାନଙ୍କ ତଦନ୍ତ କରୁଥିଲେ। ମିଡିଆ ରିପୋର୍ଟସ୍ ଅନୁସାରେ ବିଶ୍ୱନାଥଙ୍କ ବିରୋଧରେ ବିନାନୁମତିରେ ବିଦେଶ ବୁଲିଯିବା ଓ କଳାଧନ ଠୁଳ କରିବାର ଅଭିଯୋଗ ଥିଲା।
ଅଭିଯୋଗ ପରେ ବିଶ୍ୱନାଥଙ୍କ ଭିଜିଲାନ୍ସ ତଦନ୍ତ ହୋଇଥିବା ବେଳେ ଅଭିଯୋଗର ଆପତତଃ ପ୍ରମାଣ ମିଳିଥିବା ଓ ସେ ଠୁଳ କରିଥିବା ଆୟବହିର୍ଭୁତ ସମ୍ପତ୍ତିର ପ୍ରମାଣ ମଧ୍ୟ ମିଳିଛି। ଏଣୁ ଏନସିବି ଦିଲ୍ଲୀ ମୁଖ୍ୟାଳୟ ତାଙ୍କ ବରଖାସ୍ତ ଆଦେଶ ଜାରି କରିଥିବା ଜଣାପଡିଛି। ଏବେ ଚାକିରୀ ହରାଇବା ପରେ ବିଶ୍ୱନାଥ ତାଙ୍କ ବିରୋଧରେ ଆଗତ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ସେପଟେ ୨୦୨୧ ମୁମ୍ବାଇ କ୍ରୁଜ ଡ୍ରଗସ୍ କେସ୍ର ସ୍ୱତନ୍ତ୍ର ସାକ୍ଷ ପ୍ରଭାକର ସେଲର ହୃଦଘାତରେ ମୃତ୍ୟୁ ହୋଇଥିବାର ଜଣାପଡିଛି।
ଶୁକ୍ରବାର ମଧ୍ୟହ୍ନରେ ପ୍ରଭାକର ରହୁଥିବା ମାହୁଲ ଏରିୟାର ଭଡା ଘରେ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ସେ ଅଚାନକ ଅସୁସ୍ଥ ହୋଇପଡିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।





