ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ସଂସଦର ମୌସୁମୀ ଅଧିବେଶନରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର କରୁଥିବା ପକ୍ଷପାତିତା ବିରୋଧରେ ବିଜେଡି ସାଂସଦ ସ୍ୱର ଉତ୍ତୋଳନ କରିବାକୁ କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ବିଜେଡି ସଂସଦୀୟ ଦଳର ବୈଠକକୁ ସମ୍ବୋଧିତ କରି ନବୀନ କହିଛନ୍ତି, ନୀତି ଆୟୋଗ ରିପୋର୍ଟ ଅନୁସାରେ, ଓଡ଼ିଶାରେ ଦାରିଦ୍ର୍ୟ କମିଛି ।ତେବେ ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା, କେନ୍ଦ୍ର ସରକାରଙ୍କ ଠାରୁ ଆବଶ୍ୟକୀୟ ସହାୟତା ପାଉ ନାହିଁ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଆୱାସ ୟୋଜନା କଥା ଉଠାଇଛନ୍ତି ନବୀନ ।
ସେ କହିଛନ୍ତି, ୪ ବର୍ଷ ଆୱାସ୍ ପ୍ଲସ୍ ପୋର୍ଟାଲ ନ ଖୋଲି ପିଏମ୍ ଆୱାସ ଯୋଜନାକୁ ବନ୍ଦ ରଖାଯାଇଛି । ଆମେ ୧୫ ଲକ୍ଷ ଘର ଆବଶ୍ୟକ କରୁଥିବା ବେଳେ ମାତ୍ର ୮ ଲକ୍ଷ ମିଳିଛି । ଓଡ଼ିଶାରେ ଅନେକ ଆଦିବାସୀଙ୍କୁ ତାଲିକାରେ ସାମିଲ୍ କରାଯାଇ ନାହିଁ । ସମ୍ବିଧାନର ଅଷ୍ଟମ ସୂଚୀରେ ହୋ, ମୁଣ୍ଡାରୀ, ଭୂମିଜ ବାଷାକୁ ସାମିଲ୍ ପାଇଁ ନବୀନ ଦାବି କରିଥନ୍ତି ।
କୃଷକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ନବୀନ କହିଛନ୍ତି, ଏଯାଏ ସ୍ୱାମୀନାଥନ କମିଟି ଏମଏସପି ଦେଇ ଦେଇଥିବା ସୁପାରିସ୍ କାର୍ଯ୍ୟକାରୀ ହୋଇ ନାହିଁ । ସାର ବିତରଣ ଠିକ୍ ଭାବେ ନ ହେବା ସମସ୍ୟା ସୃଷ୍ଟି କରିଛି । ଏଫସିଆଇ ଉଷୁନା ଚାଉଳ ଟଙ୍କା ଦେଉନି । ଚାଷୀ ଫସଲ ବୀମାର ଫାଇଦା ପାଉ ନାହାନ୍ତି । ଆମ ସରକାର ଚାଷୀଙ୍କ ବୀମା ପ୍ରିମିୟମ୍ ଦେବାକୁ ନିଷ୍ପତ୍ତି ନେଇଛି । କେନ୍ଦ୍ର ସରକାର ପିଏମ୍ ଗରିବ କଲ୍ୟାଣ ଯୋଜନାରେ ୫ କେଜି ଚାଉଳ ଦେବା ବନ୍ଦ କରିବା ଗରିବଙ୍କ ଉପରେ ଅତ୍ୟାଚାର ବୋଲି କହିଛନ୍ତି ନବୀନ ।
ବର୍ଷା ଋତୁରେ ଜାତୀୟ ରାଜପଥରେ ପାଣି ଜମୁଛି । ଅନେକ ଘୋଷଣା ହୋଇଛି, କାମ ହେଉନି । ଏନ୍ଏଚର ମରାମତି କରାଯାଉ ନାହିଁ । ଏବେ ବି ରାଜ୍ୟର ୬ ଜିଲ୍ଲାକୁ ରେଳପଥ ନାହିଁ । ଉପକୂଳ ରାଜପଥ କାମ ଆଗଉ ନାହିଁ । ବ୍ୟାଙ୍କିଂ ଓ ଡିଜିଟାଲ୍ ସଂଯୋଗ ହୋଇ ପାରୁନି । କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ହଟାଇବାକୁ ଦାବି କରିଥିଲେ ବି ସୁଫଳ ମିଳୁ ନାହିଁ ।
ମହିଳାଙ୍କ ପାଇଁ ସଂରକ୍ଷଣ କଥା ଚର୍ଚ୍ଚା ହେଉଥିଲେ ବି କେନ୍ଦ୍ର ଶୁଣୁ ନାହିଁ । ରାଜ୍ୟ ଓ କେନ୍ଦ୍ର ପାଣ୍ଠିରେ ଓଡ଼ିଶାକୁ ଅବହେଳା କରାଯାଉଛି । ସ୍ଵତନ୍ତ୍ର ଫୋକସ ରାଜ୍ୟ ଦାବିକୁ ପୁଣି ଥରେ ସଂସଦରେ ଶାଣିତ କରିବାକୁ ନବୀନ ବିଜେଡି ସାଂସଦଙ୍କୁ କହିଛନ୍ତି ।
ସେପଟେ ବୈଠକ ପରେ ଗଣମାଧ୍ୟମକୁ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ, ରାଜ୍ୟର ଉନ୍ନତି ପାଇଁ ଆରମ୍ଭ ହୋଇଥିବା ଅନେକ ପ୍ରକଳ୍ପକୁ ବିଜେପିର ସାଂସଦମାନେ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ପୁରୀ ଐତିହ୍ୟ ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ ଆଦି ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି। ବଡ଼ ଦଳଗୁଡ଼ିକ ଗୃହ ଚଳାଇ ଦେଉ ନାହାନ୍ତି। ବିଜେପି ଓ କଂଗ୍ରେସ ଏଥିପାଇଁ ଦାୟୀ। ଆମେ ଗୃହ ବାହାରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟି ଓଡ଼ିଶାର ସ୍ବାର୍ଥ ସମ୍ବଳିତ କାମ ଆଦାୟ କରିବାକୁ ଚେଷ୍ଟା କରୁଛୁ। କିନ୍ତୁ ବିଜେପି ସାଂସଦମାନେ ସହଯୋଗ କରୁ ନାହାନ୍ତି ବୋଲି ସେ କହିଛନ୍ତି।





