BJD ଓ YSRCP ହାତରେ ଦିଲ୍ଲୀ ଅଧ୍ୟାଦେଶ ଚାବି


ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିଜର ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶର ସ୍ଥାନ ନେବାକୁ ଆସିଛି ବିଲ୍‌। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଦିଲ୍ଲୀ ବିଲ୍‌କୁ ଅନୁମୋଦନ ମିଳିଛି। ଖୁବଶୀଘ୍ର ଏହା ସଂସଦରେ ଉପସ୍ଥାପନ ହେବ।

ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ଥିବାବେଳେ ସୁପ୍ରିମକୋର୍ଟ ଏହି କ୍ଷମତା ଦିଲ୍ଲୀ ସରକାରଙ୍କୁ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବାପରେ ଏହାକୁ ମାତ ଦେବାପାଇଁ କେନ୍ଦ୍ର ସରକାର ଗତ ମେ’ ୧୯ରେ ଏକ ଅଧ୍ୟାଦେଶ ଆଣିଥିଲେ। ବଦଳି ଓ ନିଯୁକ୍ତି ଅଧିକାର ଉପରାଜ୍ୟପାଳଙ୍କର ବୋଲି ଏହି ଅଧ୍ୟାଦେଶରେ ବ୍ୟବସ୍ଥା କରାଯାଇଥିଲା।ଏହାକୁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ବିରୋଧ କରିବା ସହ ସୁପ୍ରିମକୋର୍ଟରେ ପୁଣି ଚ୍ୟାଲେଞ୍ଜ କରିଛି। ଏବେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏହାର ବୈଧତା ଯାଞ୍ଚ କରୁଥିବା ବେଳେ ଏହି ଅଧ୍ୟାଦେଶକୁ ବିଲ୍‌ ମାଧ୍ୟମରେ ଆଇନରେ ପରିଣତ କରିବାକୁ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲ୍‌କୁ ଅନୁମୋଦନ ମିଳିଛି। ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍‌ ସହଜରେ ପାରିତ ହୋଇଯିବ। କିନ୍ତୁ ରାଜ୍ୟସଭାରେ ଏହାକୁ ରୋକିବା ପାଇଁ ଆମ ଆଦମୀ ପାର୍ଟି ଯୋଜନା ଚଳାଇଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ରାଜ୍ୟସଭାରେ ବିରୋଧ କରିବା ନେଇ ସ୍ପଷ୍ଟ କରିଥିବା ବେଳେ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ଭଳି କିଛି ଦଳ ଏନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି| ସଂଖ୍ୟା ଦୃଷ୍ଟିରୁ ଉଭୟ ଦଳର 9 ଜଣ ଲେଖାଏଁ ରାଜ୍ୟସଭା ସଂସଦ ରହିଥିବାବେଳେ ଯଦି ଦୁଇ ଦଳ ଭୋଟ ଦାନରୁ ବିରତ ରୁହନ୍ତି କିମ୍ବା ବିଲ ସପକ୍ଷରେ ରୁହନ୍ତି, ତେବେ କେନ୍ଦ୍ର ସରକାର ସହଜରେ ବିଲ୍‌କୁ ପାରିତ କରି ନେବେ | ସମାନ ଭାବେ ଉଭୟ ଦଳ ବିଲ କୁ ବିରୋଧ କଲେ ବିଲ ଟି ପାରିତ ହୋଇ ପାରିବ ନାହିଁ | ତେଣୁ ରାଜ୍ୟସଭାରେ ହେବାକୁ ଥିବା ଭୋଟ ରେ ଏହି ଦୁଇ ଦଳ କଣ ଆଭିମୁଖ୍ୟ ନେଉଛନ୍ତି ତାହାରି ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Related Posts