ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌର ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି । ଏହା ମଧ୍ୟରେ ଆଜି ପୌର ନିର୍ବାଚନରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ସେପଟେ ଶେଷ ଦିନରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ବିରୋଧୀ ପ୍ରାର୍ଥୀଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆଣିଛି ବିଜେପି। ତେବେ ଶାସକ ଦଳ ଧମକ ଚମକ ଦେଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କହୁଥିବା ଅଭିଯୋଗ ହୋଇଛି। ଏପରିକି କିଛି ପ୍ରାର୍ଥୀ ଡରରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା କୁହାଯାଉଛି। ଡରରେ ଯେପରି ଅନ୍ୟ କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବେ ସେଥିଲାଗି ବିଜେପି ଦଳର ନେତାମାନେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଜଗି ରହିଛନ୍ତି।
ବିଜୁ ଜନତା ଦଳ ବିନା ନିର୍ବାଚନରେ ଜିତିବା ପାଇଁ ନିଜର କଳ ବଳ କୌଶଳ ପ୍ରୟୋଗ କରି ଅପଚେଷ୍ଟା ଆରମ୍ଭ କରିଛି। ବ୍ରହ୍ମପୁର ସହରରେ ବିଜେପିର ୪ଜଣ କର୍ପୋରେଟର ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହୃତ କରାଇଛି। ସାରା ବ୍ରହ୍ମପୁରର ପ୍ରତ୍ୟେକଟି ୱାର୍ଡରେ ଏକ ଭୟର ବାତାବରଣ ବିଜେଡି ତିଆରି କରିଛି। ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ଯେପରି ଆଉ କୌଣସି ବି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହୃତ ଜୋରଜବରଦସ୍ତି ହେବନି ସେଥିପାଇଁ ଆମେ ଆଶା ରଖିଛୁ ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି।





