ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ): ବିଜେଡ଼ି ସରକାରର ମା’କୁ ସମ୍ମାନ ଏକ ଫମ୍ପା ଆହ୍ୱାନ ଏବଂ ବିଜେଡ଼ି ସରକାରର ୨୩ ବର୍ଷ ଶାସନରେ ରାଜ୍ୟର ମହିଳା ଅତି ଶୋଚନୀୟ ଭାବେ ଉପେକ୍ଷିତ ଓ ଅତ୍ୟାଚାରିତ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କିଛି ଏଭଳି ଢଙ୍ଗରେ ଟାର୍ଗେଟ କରିଛି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ। ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଅପର୍ଣ୍ଣା ଧିର ସିଂ, ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗିତାଞ୍ଜଳି ମହାନ୍ତି, ମଧୁସ୍ମିତା ଆଚାର୍ଯ୍ୟ, ଅମିତା ବିଶ୍ୱାଳ ଓ ପ୍ରଭାବତି ପଟ୍ଟନାୟକ ପ୍ରମୁଖ ଉଦ୍ବୋଧନ ଦେଇ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା ଅତ୍ୟାଚାର ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ, ବିଜେଡ଼ିର ଚରିତ୍ର ହେଉଛି ମା’କୁ ନିର୍ଯାତନା ।
ବଲାଙ୍ଗୀର ଜିଲ୍ଲାର ଶାସକ ଦଳର ତୁଙ୍ଗ ନେତା ପୂର୍ବତନ ମନ୍ତ୍ରୀ, ତାଙ୍କ ପୁଅ ପୂର୍ବତନ ସାଂସଦଙ୍କ ବରୋଧରେ ବଧୂ ନିର୍ଯ୍ୟାତନା ଅଭିଯୋଗ ହୋଇ ମୋକଦ୍ଦମା ହୋଇଛି ଏବଂ ତଦନ୍ତ ଚାଲୁଛି । କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତାଙ୍କ ବିରୋଧରେ ବଧୂନିର୍ଯ୍ୟାତନା ଅଭିଯୋଗ ବାଙ୍କି ଥାନାରେ ମୋକଦ୍ଦମା ରୁଜୁ ହୋଇ ତଦନ୍ତ ଚାଲୁଛି । କେନ୍ଦ୍ରାପଡ଼ାର ସାଂସଦଙ୍କ ବିରୋଧରେ ନାରୀ ନିର୍ଯ୍ୟାତନର ଅଭିଯୋଗ ଟିଭି ଚ୍ୟାନେଲରେ ଆଖି ଦେଖୁଛି । ଜଗତସିଂହପୁର ଜିଲ୍ଲାର ଜଣେ ବିଧାନସଭା ସଦସ୍ୟ ତାଙ୍କ ବିରୋଧରେ ଜଣେ ଭଉଣୀର ଯୌନାଚାର ଅଭିଯୋଗ ରହିଛି। ଏ ସବୁ ଘଟଣା ପାଇଁ ଲଜ୍ଜାରେ ମୁଣ୍ଡ ନଇଁ ଯାଉଛି । କିନ୍ତୁ କାହିଁ? ଆଇନ କେଉଁ ବାଟରେ ଯାଉଛି? ତଦନ୍ତ ହେଉଛି କି? ଯଦି ବା କେଉଁଠି ହେଉଛି ନିର୍ଦ୍ଦିଷ୍ଟ ସମୟସୀମାରେ ଶେଷ ହୋଇଛି କି? ତଦନ୍ତ ଆଧାରରେ ଦଣ୍ଡ ବିଧାନ ହେଉଛି କି? ବୋଲି ପ୍ରଶ୍ନ କରିଛି ମହିଳା କଂଗ୍ରେସ ।
ମହିଳା କଂଗ୍ରେସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଓଡ଼ିଶାରେ ମହିଳା ସଂପର୍କିତ ଅପରାଧ ଅତ୍ୟନ୍ତ ଉଦ୍ବେଗ ଜନକ । NCRB ର ତଥ୍ୟ ଅନୁସାରେ ୨୦୧୨ରେ ଓଡ଼ିଶା ଉତ୍ତରପ୍ରଦେଶ ଓ ଆସାମ ପରେ ଦେଶର ତୃତୀୟ ରାଜ୍ୟ ଭାବେ ଥିଲା । ଯୌତୁକ ନିର୍ଯ୍ୟାତନା, ଧର୍ଷଣ, ଗଣଧର୍ଷଣ ପାରିବାରିକ ହିଂସା ଓ ବଳାତ୍କାର ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ। ୨୦୨୦ ତୁଳନାରେ ୨୦୨୧ ରେ ଏହା ୧୩୭.୮ ପ୍ରତିଶତ ବୃଦ୍ଧି ପାଇଥିଲା । ୨୦୨୩ ରେ ଓଡ଼ିଶା ବିଧାନସଭାରେ ଉପସ୍ଥିତ ଘରୋଇ ବିଭାଗର ଶ୍ୱେତପତ୍ର ଅନୁସାରେ ମହିଳା ସଂପର୍କିତ ମାମଲା ବିଚାରାଧୀନ ହୋଇ ପଡ଼ିରହିଥିବା ହେଉଛି ୯୮.୬% ସାରା ଭାରତ ବର୍ଷରେ ଏହା ସର୍ବାଧିକ । ଦଣ୍ଡବିଧାନ କ୍ଷେତ୍ରରେ ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ମାତ୍ର ୮.୩ ପ୍ରତିଶତ ଯାହାକି ସର୍ବଭାରତୀୟ ହାରାହାରି ୨୬.୬୭% ଠାରୁ ବହୁ
ଦୁରରେ ।
ପିପିଲିର ବେବିନା, ବ୍ରହ୍ମଗିରୀର ମାଧବୀଲତା, ଟିକିରୀ ଶିକ୍ଷୟିତ୍ରୀ ଇତିଶ୍ରୀ, ଧର୍ମଶାଳାର ସ୍ମିତାରାଣୀ, କୁନ୍ଦୁଲୀ ଛାତ୍ରୀ, ନୟଗଡ଼ର ପରି ଓ ମମିତା ମେହେରଙ୍କ ପରି ଶହ ଶହ ପରିବାରକୁ ଦୀର୍ଘ ୨୩ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେଇପାରିଲେ ନାହିଁ । ଏ ସବୁ
ଘଟଣାରେ ଶାସକ ଦଳର ବିଧାୟକ, ମନ୍ତ୍ରୀ, ସାଂସଦ ଓ ନେତା ସଂପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଘଂଟ ଘୋଡାଉଛନ୍ତି । କଂଗ୍ରେସ ଦଳ ସଦାସର୍ବଦା ମହିଳାମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ଆଗେଇ ଆସିଥାଏ । ସୁତରାଂ ଯଦି ଉପରୋକ୍ତ ସଦ୍ୟ ଘଟିତ ଏବଂ ଅନ୍ୟାନ୍ୟ ମହିଳା ନିର୍ଯ୍ୟାତନା ଓ ଦୁଷ୍କର୍ମ ଉପରେ ସରକାର ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ମହିଳା କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି ।
ଏଥିସହ ଏହି ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ପ୍ରଦେଶ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ତୋଷାଳୀ ପ୍ଲାଜା ସ୍ଥିତ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମହିଳା କମିସନ ଅଧ୍ୟକ୍ଷା ମାନନୀୟା ଶ୍ରୀମତୀ ମିନତୀ ବେହେରା ମହିଳା କଂଗ୍ରେସ ତରଫରୁ ସ୍ମାରକପତ୍ର
ଗ୍ରହଣ କରିଥିଲେ ଏବଂ ପ୍ରତିନିଧି ମଣ୍ଡଳୀଙ୍କ ସହ ବିସ୍ତୃତ ଆଲୋଚନା କରି ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ପିସିସି ମୁଖପାତ୍ର ଅପର୍ଣ୍ଣାଧିର ସିଂ, ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭପତି ଗିତାଞ୍ଜଳି ମହାନ୍ତି, ମଧୁସ୍ମିତା ଆଚାର୍ଯ୍ୟ, ଅମିତା ବିଶ୍ୱାଳ, ପ୍ରଭାବତି ପଟ୍ଟନାୟକ ଙ୍କ ସମେତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଶୋକ ଦାସ, ଶିଳ୍ପିଶ୍ରୀ ହରିଚନ୍ଦନ, କୁସୁମ ପ୍ରଧାନ,ପୁଷ୍ପିତା ଦାସ,ନିରୁପମା ପାତ୍ର, ନିରୁପମା ଦାସ, ଚୈତାଳି ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ଜୟଶ୍ରୀ ପାତ୍ର, ଶୁଭଦ୍ରା ମିଶ୍ର, କଳ୍ପନା ଆପଟ, ସୁନିତା ନାୟକ, ମିନତୀ ସାହୁ, କବିତା ଦାସ, ମଧୁସ୍ମିତା ପରିଡ଼ା, ସଂଧ୍ୟା ଖୁଂଟିଆ ପ୍ରମୁଖ ବହୁ ମହିଳା କଗ୍ରେସ କର୍ମୀ ଯୋଗ ଦେଇଥିଲେ ।





