ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ଗତକାଲି ଖରିପ ଫସଲର ଏମଏସପି ବଢ଼ାଇଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ଏହା ସହ ଶାସକ ବିଜେଡି ଦଳକୁ ଘେରିବାକୁ ଚେଷ୍ଟା କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଶ୍ରୀ ପୁରୋହିତଙ୍କ କହିବା ଅନୁସାରେ ୨୩ ବର୍ଷ ଶାସନ କାଳ ଭିତରେ ଚାଷୀଙ୍କ ଆୟ ବଢ଼ାଇ ପାରିଲାନି ବିଜେଡି। ଚାଷୀଙ୍କ ଆୟରେ ଓଡ଼ିଶା ଦେଶରେ ବହୁ ପଛରେ।
ଚାଷୀଙ୍କୁ ୧୦୦ ଟଙ୍କାର ବୋନସ୍ ଦେବାକୁ ମୁଖ୍ୟମନ୍ତ୍ରୀ ସୋହେଲା ଚାଷୀ ସମାବେଶରେ ଘୋଷଣା କରିଥିଲେ। କୁଆଡେ ଗଲା ସେ ବୋନସ୍ ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ପୁରୋହିତ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ୧୦୦ ଟଙ୍କା ବଢ଼ାଇ ୨୦୪୦ ଟଙ୍କା କରିଛନ୍ତି। ମଣ୍ଡିରେ କିଭଳି ଅବ୍ୟବସ୍ଥା ଚାଲିଛି, ତାହା ରାଜ୍ୟର ଚାଷୀ ଜାଣନ୍ତି। ଏବେ ରାଜ୍ୟ ସରକାର ଉତ୍ତରଦାୟିତ୍ୱ ନିଅନ୍ତୁ, ବିନା ବାଟ ମାରଣାରେ ଚାଷୀଙ୍କ ପାଖକୁ ଯେଭଳି ଏହି ସହାୟକ ମୂଲ୍ୟ ଠିକ ଭାବରେ ପହଞ୍ଚିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି।





