“ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ବିଜେଡିର ତୀବ୍ର ବିରୋଧ: ନିଲମ୍ବିତ ବିଧାୟକଙ୍କୁ ଚେତାବନୀ “

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ଓଡ଼ିଶାର ରାଜନୀତିରେ ତୀବ୍ର ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷିତରେ ବିଜେଡି ନେତା ବ୍ୟୋମକେଶ ରାୟ ୬ ଜଣ ବିଧାୟକଙ୍କୁ କଡା ପ୍ରଶ୍ନ କରି କହିଛନ୍ତି ଯେ, ସେମାନେ ଭୋଟରୁ ବିରତ ରହିପାରିଥାନ୍ତେ, ତେବେ କାହିଁକି ଦିଲୀପ ରାୟ ପକ୍ଷରେ ଭୋଟ ଦେଲେ ସେଥିରେ ସ୍ପଷ୍ଟତା ଆଣିବା ଆବଶ୍ୟକ।ସେ ଅଭିଯୋଗ କରିଛନ୍ତି ଯେ, ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଓ ପ୍ରାୟ ତିନି ମାସ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହୋଇଥିବା ସତ୍ତ୍ୱେ ଏପରି କାର୍ଯ୍ୟ ହେବା ଦଳବିରୋଧି ବୋଲି ସେ କହିଛନ୍ତି।ବ୍ୟୋମକେଶ ରାୟ ଏହି ଘଟଣାକୁ ୧୯୯୬ର ଘଟଣା ସହ ସମ୍ପର୍କ କରି କହିଛନ୍ତି ଯେ, ସେତେବେଳେ ପ୍ରଭାତ ତ୍ରିପାଠୀ କ୍ରସ ଭୋଟିଂ କରି ନିଲମ୍ବିତ ହୋଇଥିଲେ। ସେହିପରି ବିଜୟ ମହାପାତ୍ରଙ୍କ ଭୂମିକା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସେହି ସମୟରେ ଯେପରି ଷଡ଼ଯନ୍ତ୍ର ହୋଇଥିଲା, ଏବେ ମଧ୍ୟ ସେହି ପ୍ରକାର ଘଟଣା ଦେଖାଯାଉଛି।ଏହା ସହ ଧୃବ ସାହୁ କହିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ କରୁଥିବାଙ୍କୁ ଛାଡ଼ାଯିବ ନାହିଁ ଏବଂ ଏମିତି ବେଇମାନଙ୍କୁ ଦଳରୁ ବାହାର କରାଯିବ।ଅନ୍ୟପଟେ, ବିଧାୟିକା ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କ୍ରସ୍‌ ଭୋଟିଂକୁ ନେଇ କଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କିଛି ବିଧାୟକ ଟଙ୍କା ପାଇଁ ନିଜ ଆଦର୍ଶକୁ ବିକ୍ରି କରିଛନ୍ତି। ସେ ଏହାକୁ ପୂର୍ବରୁ ଘଟିଥିବା ରାଜନୈତିକ ଷଡ଼ଯନ୍ତ୍ର ସହ ତୁଳନା କରି କହିଛନ୍ତି ଯେ, ଏହା ବିଜୁ ଲିଗାସିକୁ ଅପମାନ କରିଛନ୍ତି।ସେ ଆହୁରି କହିଛନ୍ତି ଯେ, ଏହି ଘଟଣା ବିରୋଧରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବା ପାଇଁ ଦଳ ପ୍ରସ୍ତୁତ ଅଛି। ବ୍ରହ୍ମଗିରି ଓ ଖଲିକୋଟ ବିଧାୟକଙ୍କ ଭୋଟ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ତଦନ୍ତ ଦାବି କରାଯାଇଛି।ସମଗ୍ର ଘଟଣାକୁ ନେଇ ରାଜ୍ୟର ରାଜନୀତି ମୋଡ଼ ବଦଳୁଛି ଏବଂ ଆଗାମୀ ଦିନରେ ଆହୁରି କଡା କାର୍ଯ୍ୟନୁଷ୍ଠାନ ହେବାର ସଙ୍କେତ ମିଳିଛି।

Related Posts