ମେଣ୍ଟ ନେଇ ମୁହଁ ଖୋଲିଲା ବିଜେଡି; ସସ୍ମିତ କହିଲେ, ‘ଗୁଜବ ସୃଷ୍ଟି କରିଛି ବିଜେପି’

 ଭୁବନେଶ୍ୱର,୦୩/୩(ସତ୍ୟପାଠ ବ୍ୟୁରୋ):  ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଖବର ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମୁହଁ ଖୋଲିବା ପରେ ଏବେ ଏନେଇ ମୁହଁ ଖୋଲିଛି ବିଜେଡି । ଗତ କିଛି ଦିନ ଧରି ରାଜ୍ୟ ରାଜନୀତିକୁ ସରଗରମ କରି ରଖିଥିବା ‘ବିଜେଡି-ବିଜେପି ମେଣ୍ଟ’ ଖବରକୁ ନେଇ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ପାଖରେ ୧୪୭ ବିଧାନସଭା ଏବଂ ୨୧ ଲୋକସଭା ନିର୍ବାଚନ ଲଢିବାକୁ ପ୍ରାର୍ଥୀ ନାହାଁନ୍ତି । ଏହି କାରଣରୁ ସେମାନେ ବିଜେଡିର କିଛି ନେତାଙ୍କୁ ପାଛୋଟି ନେଉଛି । ବିଜେଡିରେ ଯେଉଁ ନେତାଙ୍କ ଦଳରେ ଭବିଷ୍ୟତ ନାହିିଁ ଏବଂ ଦଳ ଯାହାକୁ ଟିକେଟ୍ ଦେବାକୁ ମନା କରିଦେଇଛି, ସେହି ନେତାଙ୍କୁ ହିଁ ବିଜେପି ପାଛୋଟି ନେଉଛି ବୋଲି ସସ୍ମିତ ପାତ୍ର କହିଛନ୍ତି ।

ଅନ୍ୟପଟେ ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ ସୂଚନା ଦେଇ ସସ୍ମିତ କହିଛନ୍ତି, ରାଜ୍ୟ ବିଜେପିର ନେତାମାନେ ଜାଣିଶୁଣି ମେଣ୍ଟର ଗୁଜବ ସୃଷ୍ଟି କରୁଛନ୍ତି । ହେଲେ ସେମାନେ ଏମିତି କାହିଁକି କରୁଛନ୍ତି ସେ କଥା ସେ ଜାଣିନାହାଁନ୍ତି । ତେବେ ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ୧୨୦ରୁ ଅଧିକ ବିଧାନସଭା ସିଟ୍, ଲୋକସଭା ନିର୍ବାଚନରେ ୧୭ରୁ ଅଧିକ ସିଟ୍ ଜିତିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ସସ୍ମିତ ପାତ୍ର ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ଏକାଠି ହେଇ ନିର୍ବାଚନ ଲଢିପାରନ୍ତି ବୋଲି ଖବର ଆସୁଥିଲା । ଏପରିକି ଆସନ୍ତା ମାର୍ଚ୍ଚ ୫ ତାରିଖରେ ଏହି ମେଣ୍ଟ ନେଇ ଘୋଷଣା ହେଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଥଲେ । ହେଲେ ସେ ସବୁ ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି ବିଜେଡି ସାଂସଦ ।

Related Posts