“ପ୍ରଭାତ ବିଶ୍ୱାଳଙ୍କୁ ବିଜେଡିର କଟୁ ଆକ୍ରମଣ: ‘ଷଡ଼ଯନ୍ତ୍ରରେ ବି ଦଳକୁ ଦୁର୍ବଳ କରିପାରିବେନି”

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ବିଜୁ ଜନତା ଦଳ ତୀବ୍ର ଆକ୍ରମଣ ଜାରି ରଖିଛି। ଦଳ ତାଙ୍କ ନିକଟତମ ବକ୍ତବ୍ୟକୁ “ମାନସିକ ଅସ୍ଥିରତା”ର ପ୍ରତିଫଳ ବୋଲି କହିବା ସହ, ତାଙ୍କ ଅଭିଯୋଗଗୁଡ଼ିକୁ “ପାଗଳର ପ୍ରଳାପ” ଭାବେ ଖାରଜ କରିଛି।ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ଚିଟଫଣ୍ଡ ଓ ପୂର୍ବତନ ଦୁର୍ନୀତି ମାମଲାରେ ଜଡିତ ଥିବା ପ୍ରଭାତ ବିଶ୍ୱାଳଙ୍କ ପକ୍ଷରୁ ବିଜେଡିର ନୀତି ଓ ନୈତିକତା ଉପରେ ଟିପ୍ପଣୀ ଦେବା ଅନୁଚିତ। ସେ ଅଭିଯୋଗ କରିଥିଲେ ଯେ, ରାଜ୍ୟସଭା ନିର୍ବାଚନ ସମୟରେ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ଘୋଡ଼ା ବେପାରରେ ସାମିଲ କରାଇ ବିଶ୍ୱାସଘାତ କରାଯାଇଥିଲା, ଯାହାକୁ କଟକବାସୀ କେବେ କ୍ଷମା କରିବେ ନାହିଁ।ସେ ଆହୁରି କହିଥିଲେ ଯେ, ୧୯୯୫ରେ ନଳକୂପ ଦୁର୍ନୀତି ଘଟଣାରୁ ଆରମ୍ଭ କରି ବିଭିନ୍ନ ଅଭିଯୋଗରେ ପ୍ରଭାତ ବିଶ୍ୱାଳ ଜଡିତ ଥିବା ବିଷୟ କଟକବାସୀଙ୍କୁ ଭଲ ଭାବରେ ଜଣା। ଦଳରୁ ନିଲମ୍ବନ ପରେ ସେ ନିଜ ବକ୍ତବ୍ୟ ଉପରେ ନିୟନ୍ତ୍ରଣ ହାରାଇଥିବା ମଧ୍ୟ ସେ କହିଥିଲେ।ଭି. କାର୍ତ୍ତିକେୟନ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ଥିବା ଅଭିଯୋଗକୁ ମଧ୍ୟ ବିଜେଡି ଖଣ୍ଡନ କରିଛି। ଦଳ ସ୍ପଷ୍ଟ କରିଛି ଯେ, ଟ୍ରଷ୍ଟ ସମ୍ବନ୍ଧୀୟ ତଥ୍ୟକୁ ଭ୍ରମ ପ୍ରଚାର କରାଯାଉଛି। ନବୀନ ପଟ୍ଟନାୟକ ନିଜସ୍ୱ ପାଣ୍ଠିରୁ ଟ୍ରଷ୍ଟକୁ ଅର୍ଥ ଦାନ କରିଥିବା ଏବଂ ଏହା ସମ୍ପୂର୍ଣ୍ଣ ପାରିବାରିକ ସଚେତନତାରେ ଗଠିତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।ବିଜେଡି ଅଭିଯୋଗ କରିଛି ଯେ, ପ୍ରଭାତ ବିଶ୍ୱାଳ ଯେତେ ଷଡ଼ଯନ୍ତ୍ର କଲେ ମଧ୍ୟ ଦଳକୁ ଦୁର୍ବଳ କରିପାରିବେନି।

Related Posts