ପୌର ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପକ୍ରିୟା | ଏହାରି ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ଓ ପ୍ରାର୍ଥିପତ୍ର ଯାଞ୍ଚ ପକ୍ରିୟା ମଧ୍ୟ ଶେଷ ହୋଇଛି | ତେବେ ଯାଞ୍ଚ ବେଳେ, ଦାଖଲ ହୋଇଥିବା ୧୨ ଜଣ ମେୟର ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ସୁଲୋଚନା ଦାସ ସବୁଠୁ ଧନୀ ବୋଲି ଦାଖଲ ହୋଇଥିବା ସତ୍ୟପାଠରୁ ଜଣାପଡିଛି | ତାଙ୍କର ସମ୍ପତ୍ତି ହେଉଛି ୧ କୋଟି ୮୨ ଲକ୍ଷ ୬୦ ହଜାର ୩୩୮ । ଏଥିରେ ତାଙ୍କର ୨୬ ଲକ୍ଷ ୩୨ ହଜାର ୮୧୬ ଟଙ୍କାର ସମ୍ପତ୍ତି ଥିବା ବେଳେ ସ୍ବାମୀ ପ୍ରଫୁଲ୍ଲ ଦାସଙ୍କ ସମ୍ପତ୍ତି ୭୧ ଲକ୍ଷ ୨୭ ହଜାର ୫୨୨ ଟଙ୍କା ରହିଛି ।ଏଥିରେ ବ୍ୟାଙ୍କ୍ ଜମା, ଏଲ୍ଆଇସି, ଡାକଘରେ ଜମା ପ୍ରଭୃତି ରହିଛି । ସୁଲୋଚନାଙ୍କ ନାମରେ ଜମିବାଡ଼ି ନାହିଁ । ତାଙ୍କ ସ୍ବାମୀଙ୍କ ନାମରେ ନନ୍ଦାଦେବୀ ଭିଆଇପି ଏନ୍କ୍ଲେଭ୍ରେ ଏକ ଫ୍ଲାଟ୍ ରହିଛି । ଯାହାର ବର୍ତ୍ତମାନର ଆନୁମାନିକ ମୂଲ୍ୟ ୮୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଉଭୟଙ୍କ ନାମରେ କୌଣସି ବ୍ୟାଙ୍କ୍ ଋଣ ନଥିବା ସତ୍ୟପାଠରେ ଦର୍ଶାଯାଇଛି । ସୁଲୋଚନାଙ୍କ ପାଖରେ ଆକ୍ଟିଭା ସ୍କୁଟି ଥିଲା ବେଳେ ସ୍ବାମୀଙ୍କ ପାଖରେ ଡଷ୍ଟର୍ କାର୍ ଅଛି ।
ସେହିଭଳି ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ ମଧ୍ୟ କୋଟିପତି । ତାଙ୍କର ୧ କୋଟି ୮ ଲକ୍ଷ ୨ ହଜାର ୬୭୧ ଟଙ୍କାର ସମ୍ପତ୍ତି। ୧୨ ଲକ୍ଷ ୨ ହଜାର ୬୭୧ ଟଙ୍କା ବିଭିନ୍ନ ବ୍ୟାଙ୍କ୍, ଡାକଘର ଓ ବଣ୍ଡ୍ ପ୍ରଭୃତି ଥିବା ବେଳେ ଝାରପଡ଼ା ସିଦ୍ଧି ବିନାୟକ ରେସିଡେନ୍ସିରେ ରହିଥିବା ଫ୍ଲାଟ୍ର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ଦର୍ଶାଯାଇଛି । ନିଜ ନାମରେ ଗୋପୀନାଥପୁର ମୌଜାରେ ରହିଥିବା ଜମିର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଦର୍ଶାଯାଇଛି । ସୁନୀତିଙ୍କ ପାଖରେ ଏକ ମାରୁତି ସୁଜୁକି କାର୍ ରହିଛି ।
କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କର ୧୩ ଲକ୍ଷ ୧୩ ହଜାର ୬୦୬ ଟଙ୍କାର ସମ୍ପତ୍ତି ରହିଛି । ଏଥିରୁ ତାଙ୍କ ନାମରେ ୧୨ ଲକ୍ଷ ୩୧ ହଜାର ୫୦୬ ଟଙ୍କାର ଜମା ରହିଥିବା ବେଳେ ସ୍ବାମୀ ଜିତେନ୍ଦ୍ର ପଣ୍ଡାଙ୍କ ନାମରେ ୮୨ ହଜାର ଶହେ ଟଙ୍କାର ବ୍ୟାଙ୍କ୍ ଜମା ଥିବା ଜଣାପଡ଼ିଛି ।
ଆମ୍ ଆଦ୍ମି ପାର୍ଟି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଧନୀ। ଆପ୍ର ପ୍ରାର୍ଥୀ ସରୋଜିନୀ ଖୁଣ୍ଟିଆଙ୍କର ୮୯ ଲକ୍ଷ ୯୦୪ ଟଙ୍କାର ସମ୍ପତ୍ତି ରହିଛି । ଏଥିରେ ୧୬ ଲକ୍ଷ ୬୨ ହଜାର ଟଙ୍କାର ବ୍ୟାଙ୍କ୍ ଜମା ରହିଥିବା ବେଳେ ୭୨ ଲକ୍ଷ ୩୮ ହଜାର ୯୦୪ ଟଙ୍କାର ଜମି ରହିଛି । ତାଙ୍କ ନାମରେ ୫ ଲକ୍ଷ ୧୧ହଜାର ଟଙ୍କାର ଜମା ଥିବା ବେଳେ ୧୩ ଲକ୍ଷ ୫୦ ହଜାର ଟଙ୍କାର ଜମି ରହିଛି । ସ୍ବାମୀ ଟୁନା ସ୍ବାଇଁଙ୍କର ୧୧ ଲକ୍ଷ ୫୧ ହଜାର ଟଙ୍କାର ଜମା ରହିଥିବା ତାଙ୍କ ନାମରେ ରହିଥିବା ଜମିର ବର୍ତ୍ତମାନର ମୂଲ୍ୟ ୫୮ ଲକ୍ଷ ୮୮ ହଜାର ୯୦୪ ଟଙ୍କା ଅନୁମାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଂଚ ଶେଷ ହୋଇଥିବାବେଳେ ଆସନ୍ତା ୧୪ତାରିଖ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଉକ୍ତ ଦିନ ଅପରାହ୍ନ ୫ଟା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ଏନଏସିର ମୋଟ ୧୮୯୯ଟି ୱାର୍ଡରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ହେବ ।





