ଝାରସୁଗୁଡ଼ାରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ଭାଙ୍ଗିଲେ ବାପାଙ୍କ ରେକର୍ଡ

ଭୁବନେଶ୍ୱର,୧୩/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଏଠାରେ ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିଛି। ଦୀପାଳି ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୬୧୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତେବେ ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି ।

୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ଝିଅ ୪୮ହଜାର ୬୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଛି। ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଭୋଟ। ତେଣେ କଂଗ୍ରେସ ପ୍ରାର୍ଥୀ ୪, ୪୭୩ ଖଣ୍ଡ ଭୋଟ ପାଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ନବ ଦାସ ମୋଟ୍ ୯୮, ୬୨୦ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କ ଭୋଟ ପ୍ରତିଶତ ଥିଲା ୫୫.୯୭। ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତଥରର ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କଠାରୁ ମଧ୍ୟ ଅଧିକ ଭୋଟ୍ ପାଇବାରେ ସକ୍ଷମ ହୋଇଛନ୍ତି। କାରଣ ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ। ସେ ୩୦.୦୪ ପ୍ରତିଶତ ଭୋଟ ପାଇଥିଲେ। ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଭୋଟ।

Related Posts