ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳ ତାଲିକାର ଦ୍ୱିତୀୟ ସ୍ଥାନରେ ବିଜେଡି: ୨୦୨୧-୨୨ ଆର୍ଥିକ ବର୍ଷରେ ମିଳିଛି ୨୯୧କୋଟି ଟଙ୍କା

ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳ ତାଲିକାରେ ବିଜେଡି ଦ୍ୱିତୀୟ ସ୍ଥାନରେ ରହିଛି । ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ୨୯ଟି ଆଞ୍ଚଳିକ ଦଳର ବାର୍ଷିକ ଅଡିଟ୍ ରିପୋର୍ଟ ଅନୁସାରେ ଡିଏମକେ ତାଲିକାର ଶୀର୍ଷରେ ରହିଥିବାବେଳେ ବିଜେଡି ଦ୍ୱିତୀୟ ସ୍ଥାନରେ ରହିଛି । ଡିଏମକେକୁ ୩୦୮.୧୪କୋଟି ଟଙ୍କା ସ୍ୱେଚ୍ଛାକୃତ ଚାନ୍ଦା ମିଳିଥିବାବେଳେ ବିଜେଡିକୁ ୨୯୧ କୋଟି ଟଙ୍କା ଚାନ୍ଦା ମିଳିଛି । ତେବେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ବିଜେଡିକୁ ୬୭କୋଟି ଟଙ୍କାର ରାଜନୀତିକ ଚାନ୍ଦା ମିଳିଥିଲା ।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଆଞ୍ଚଳିକ ଦଳ ଭାବେ ସର୍ବାଧିକ ଚାନ୍ଦା ଡିଏମକେକୁ ମିଳିଛି । ତେବେ ଜେଡିୟୁ, ଆରଜେଡି, ୱାଇଏସଆର, ଟିଆରଏସ(ଏବେ ବିଆରଏସ), ଏଆଇଡିଏମକେ, ଟିଡିପି, ସମାଜବାଦୀ ପାର୍ଟି , ଅକାଳୀ ଦଳ ଓ ଆମ ଆଦମୀ ପାର୍ଟି ଭଳି ଦଳକୁ ପଛରେ ପକାଇ ବିଜେଡି ସର୍ବାଧିକ ଚାନ୍ଦା ସଂଗ୍ରହକାରୀ ଆଞ୍ଚଳିକ ଦଳ ହୋଇଛି । ତାମିଲନାଡୁରେ କ୍ଷମତାରେ ଥିବା ଡିଏମକେକୁ ୨୦୨୧-୨୨ ବର୍ଷରେ ୩୧୮.୭୪କୋଟି ଟଙ୍କା ମିଳିଛି । ସେଥିରେ ୩୦୮କୋଟି ଟଙ୍କା କେବଳ ରାଜନୀତିକ ଚାନ୍ଦା । ଦଳ ଏହି ଅବଧିରେ ୩୫.୪୦କୋଟି ଟଙ୍କା ଖର୍ଚ୍ଚ କରିଛି । ସେହିପରି ଓଡ଼ିଶାରେ କ୍ଷମତାସୀନ ବିଜେଡି ମୋଟ ୩୦୭.୨୮କୋଟି ଟଙ୍କା ପାଇଥିବାବେଳେ ଏହି ଅବଧିରେ ୨୮.୬୩କୋଟି ଟଙ୍କା ଖର୍ଚ୍ଚ କରିଛି । ଏଥିରେ ବିଜେଡିକୁ ୨୯୧କୋଟି ଟଙ୍କାର ରାଜନୀତିକ ଚାନ୍ଦା ମିଳିଛି ।

ସେହିପରି ୨୦୨୧-୨୨ରେ ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ୍ ୨୧୮.୧୧କୋଟି ଟଙ୍କା ପାଇଥିବାବେଳେ ସେଥିରୁ ୨୭.୯୩କୋଟି ଟଙ୍କା ଖର୍ଚ୍ଚ କରିଛି । ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ୪୪.୫୩କୋଟି ଟଙ୍କା, ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ୱାଇଏସଆର କଂଗ୍ରେସ ୯୩.୭୨କୋଟି ଟଙ୍କା, ବିହାରରେ ଶାସକ ଦଳ ଜେଡିୟୁ ୮୬.୫୫କୋଟି ଟଙ୍କା ଓ ଆରଜେଡି ୧.୯୭କୋଟି ଟଙ୍କା ପାଇଥିବାବେଳେ ଶିରୋମଣି ଅକାଳୀ ଦଳ ୨୫.୪୧କୋଟି ଟଙ୍କା, ତେଲଗୁ ଦେଶମ ପାର୍ଟି ୬୦.୨୮କୋଟି ଟଙ୍କା, ଏଆଇଡିଏମକେ ୨୫.୨୬କୋଟି ଟଙ୍କା, ସମାଜବାଦୀ ପାର୍ଟି ୬୧.୦୧ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିଛନ୍ତି । ଏଥିରେ ୮୦ରୁ ୯୦ ପ୍ରତିଶତ ପାଣ୍ଠି ସମ୍ପୃକ୍ତ ଆଂଚଳିକ ଦଳଗୁଡ଼ିକୁ ରାଜନୀତିକ ଚାନ୍ଦା ଆକାରରେ ମିଳିଛି ।

ସୂଚନାଯୋଗ୍ୟ ଯେ, ଏଡିଆର ରିପୋର୍ଟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରୁ ଜାତୀୟ ଦଳଗୁଡ଼ିକୁ ମୋଟ ୩ କୋଟି ୧୧ଲକ୍ଷ ଟଙ୍କାର ଚାନ୍ଦା ମିଳିଛି । ସେଥିରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ୨କୋଟି ଟଙ୍କା ସହ କଂଗ୍ରେସକୁ ସର୍ବାଧିକ ୨.୨୩କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ବିଜେପିକୁ ୭୯.୨୦ଲକ୍ଷ ଟଙ୍କା, ଏନସିପିକୁ ୫ଲକ୍ଷ ଟଙ୍କା, ସିପିଆଇଏମକୁ ୧ଲକ୍ଷ ଟଙ୍କା ଓ ସିପିଆଇକୁ ୨୯ଲକ୍ଷ ଟଙ୍କାର ଚାନ୍ଦା କେବଳ ଓଡ଼ିଶାରୁ ଯାଇଛି । ଜାତୀୟ ଦଳଗୁଡ଼ିକୁ ମିଳିଥିବା ଏହି ମୋଟ ୩.୧୧କୋଟି ଟଙ୍କାର ଚାନ୍ଦାରୁ କର୍ପୋରେଟ ସେକ୍ଟରରୁ ମାତ୍ର ୫୯.୧୭ଲକ୍ଷ ଟଙ୍କା ଓ ବ୍ୟକ୍ତିଗତସ୍ତରରେ ୨.୪୯କୋଟି ଟଙ୍କା ଚାନ୍ଦା ଆକାରରେ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷରେ ଜାତୀୟ ଦଳ କଂଗ୍ରେସକୁ ୯୫.୪୬କୋଟି ଟଙ୍କା ଓ ବିଜେପିକୁ ୬୧୪.୬୩କୋଟି ଟଙ୍କାର ରାଜନୀତିକ ଚାନ୍ଦା ମିଳିଥିବା ଏଡିଆର ରିପୋର୍ଟରୁ ଜଣାପଡ଼ିଛି ।

Related Posts