ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେପି ପକ୍ଷରୁ 5T ଅଧ୍ୟକ୍ଷ ପାଣ୍ଡିଆନ ଓ ସୋସିଆଲ ମିଡ଼ିଆ ଇନଫ୍ଲ୍ୟୁଏନ୍ସଅର କମିଆ ଜାନିଙ୍କ ଗିରଫ ଦାବି ପରେ ଏହାର ଜବାବ ରଖିଛି ବିଜେଡି | ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରୁଥିବା ଉନ୍ନତିମୂଳକ କାର୍ଯ୍ୟ ଦେଖି ରାଜ୍ୟ ବିଜେପି ଓ ଏହାର ନେତା ଅତ୍ୟନ୍ତ ଇର୍ଷାନ୍ୱିତ। ରାଜ୍ୟ ବିଜେପି ନେତାଙ୍କ ମନରେ ପ୍ରକଳ୍ପକୁ ନେଇ ଅସହିଷ୍ଣୁତା ଭରି ରହିଛି। ସେଥିପାଇଁ ସବୁ ରାଜନୈତିକ ଦଳର ନେତାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ରାଜ୍ୟ ବିଜେପିର କର୍ମୀ ଅଣ୍ଡା ମାରିଥିଲେ। ପବିତ୍ର କାର୍ଯ୍ୟ ସାରି ପୁଣ୍ୟର ସହର ପୁରୀରୁ ଫେରିବା ବେଳେ ଏଭଳି ହୀନ କାର୍ଯ୍ୟ ପାଇଁ, ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିଥିବା କହିଛନ୍ତି ବିଜେଡି ମୁଖପାତ୍ର ଇପସିତା ସାହୁ ଏବଂ ସ୍ୱୟଂପ୍ରକାଶ ମହାପାତ୍ର।
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି ଯେ, ଓଡିଶା ବିଜେପି ନେତାଙ୍କୁ ଲଜ୍ଜା ଲାଗିବା କଥା, କୈାଣସି ଭଲ କାମକୁ ଏମାନେ ସହି ପାରନ୍ତି ନାହିଁ। ପରିକ୍ରମା ପକ୍ରଳ୍ପକୁ ରାଜ୍ୟ, ଜାତୀୟ ସ୍ତରରେ ସଭିଏଁ ପ୍ରଶଂସା କରୁଛନ୍ତି। ଯାହା ରାଜ୍ୟ ବିଜେପି ନେତାଙ୍କ ବଦହଜମୀ କରୁଛି। ଓଡିଶାର
ପ୍ରଶଂସା ଶୁଣିଲେ ରାତିର ନିଦ ଉଡିଯାଉଛି। ଡାହା ମିଛ କହି କୁତ୍ସାରଟନା କରନ୍ତି, ଆଜିର ସାମ୍ବାଦିକ ସମ୍ମିଳନୀ ଏହାର ସ୍ପଷ୍ଟ ଉଦାହରଣ।
ଯେଉଁ ଭିଡିଓର ଉଦାହରଣ ଦେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିଲା, ଏଥିରେ ଆଦୌ ସତ୍ୟତା ନାହିଁ। ମନ୍ଦିର ଭିତରକୁ କୈାଣସି କ୍ୟାମେରା ଯାଇନାହିଁ, ଯଦି ପ୍ରମାଣ ଅଛି ସାମ୍ନାକୁ ଆଣନ୍ତୁ। ମହାପ୍ରସାଦ ମନ୍ଦିର ଭିତରେ ନୁହେଁ, ମନ୍ଦିର ବାହାରେ ରାଧାବଲ୍ଲଭ ମଠରେ ସେବନ କରାଯାଇଛି। ବିଶ୍ୱର କୋଣ ଅନୁକୋଣରେ ସଭିଙ୍କ
ପାଖରେ ମହାପ୍ରସାଦର ମାହାତ୍ମ୍ୟ ଓ ପୈାରାଣିକ ତଥ୍ୟ ପହଁଚାଇବାକୁ ଉଦ୍ୟମ କରାଯାଇଥିଲା। ଯାହା ନିର୍ବୋଧ ରାଜ୍ୟ ବିଜେପି ନେତାଙ୍କୁ ବୁଝାପଡିଲାନି। ଓଡିଶା ବିଜେପି ନେତା ବହୁ ଚେଷ୍ଟା କରିଥିଲେ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଟକାଇବେ। ସେମାନଙ୍କ ଶତ ଚେଷ୍ଟା ବିଫଳ ହୋଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଛା ବିନା ପତ୍ରଟେ ହଲେନି ଏକଥା ସାଢେ ୪ କୋଟି ଓଡିଶାବାସୀ ବେଶ ଭଲ ଭାବେ ଜାଣନ୍ତି। ଯେତେ ଚକ୍ରାନ୍ତ, ଷଡଯନ୍ତ୍ର କରି ରାଜ୍ୟ ବିଜେପି ନେତା ପ୍ରକଳ୍ପ କାର୍ଯ୍ୟ ଅଟକାଇବାକୁ ଉଦ୍ୟମ କଲେ, ସବୁ କିଛି ଫେଲ୍ ମାରିଥିଲା। ଏବଂ ମହାପ୍ରଭୁଙ୍କ ଇଛା ଅନୁସାରେ ହିଁ ଶେଷରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିଥିଲା। ପ୍ରକଳ୍ପ ପାଇଁ ଜମି ଦେଇଥିବା ସ୍ଥାନୀୟ ଜନତାଙ୍କ ତ୍ୟାଗ, ଦୁଇ ବର୍ଷ ଧରି ଦିନ ରାତି ନିରନ୍ତର ପରିଶ୍ରମ ପରେ ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପିତ ହେବାକୁ ଯାଉଛି। ହେଲେ ନିଜର ମିଛ ଖବରର ପୁରୁଣା କୈାଶଳ ଆପଣାଇ, ଇର୍ଷାନ୍ୱିତ ରାଜ୍ୟ ବିଜେପି ଓ ସେହି ନିର୍ଦ୍ଦିଷ୍ଟ ନେତା ଅପପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି।
ସତ କଥା ହେଲା ଶ୍ରୀମନ୍ଦିର ପ୍ରକଳ୍ପ ହେଉ ଅବା ରାଜ୍ୟ ପାଇଁ ସଫଳତା ଆଣୁଥିବା କୈାଣସି ବି ପ୍ରସଙ୍ଗ, ଗୈାରବାନ୍ୱିତ ହେବା ବଦଳରେ ରାଜ୍ୟ ବିଜେପି ନେତା ଇର୍ଷାନ୍ୱିତ ହୋଇଉଠନ୍ତି। ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶାକୁ ସବୁବେଳେ ବଦନାମ କରିବା ପାଇଁ ଚେଷ୍ଟା କରୁଥିବା ଓଡିଶା ବିଜେପି ଓ ସେହି ବ୍ୟକ୍ତିଙ୍କୁ ମହାପ୍ରଭୁ ଶ୍ରୀ
ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି।





