ଅହେତୁକ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି

ଭୁବନେଶ୍ୱର,୩/୩(ସତ୍ୟପାଠ ବ୍ୟୁରୋ): ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ରାଜଧାନୀ ଭୁବନେଶ୍ୱରରେ ବିଜୁ ମହିଳା ଜନତା ଦଳର କର୍ମୀମାନେ ରାଜଭବନ ସମ୍ମୁଖରେ ଗ୍ୟାସ ସିଲିଣ୍ଡର ରଖି ଚୁଲି ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜଭବନ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରି ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ସମେତ ବିଜୁ ମହିଳା ଜନତା ଦଳର ଅନେକ କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାଵାଜୀ କରିଛନ୍ତି । ଏହାସହିତ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବି ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଗ୍ୟାସ୍‌ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରିବା ପ୍ରସଙ୍ଗରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଗ୍ୟାସ ବୃଦ୍ଧିକୁ ବିରୋଧ କରି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୧୪ରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୪୧୦ଟଙ୍କା ଥିଲା। ଏବେ ୧୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଗତ ୯ବର୍ଷରେ ଗ୍ୟାସ୍‌ ଦର ପ୍ରାୟ ୩ଗୁଣା ବଢ଼ିବା ସମସ୍ତଙ୍କୁ ବାଧୁଛି। ୨୦୧୪ ବେଳେ ରାଜ୍ୟରେ ୨୧ଲକ୍ଷ ଗ୍ୟାସ୍ ଉପଭୋକ୍ତା ଥିଲେ, କିନ୍ତୁ ଏବେ ୮୮ଲକ୍ଷରୁ ଅଧିକ ‌ଉପଭୋକ୍ତା। ଓଡ଼ିଶାର ୮୦% ଘରେ ଗ୍ୟାସ୍ ଚୁଲା ଜଳୁଛି। ଏତିକି ପରିବାର ଗ୍ୟାସ ବୃଦ୍ଧିକୁ ଗ୍ରହଣ କରିପାରୁନାହାନ୍ତି।

Related Posts