ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ସବୁ ଦଳ ମଧ୍ୟ ଏହି ଆସନକୁ ହାତେଇବା ପାଇଁ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହେଲେ ଧାମନଗର ଉପନିର୍ବାଚନ ହାରିବା ପରେ ଏବେ ନିଜ ଆସନ ପଦ୍ମପୁରକୁ ହାତେଇବା ବିଜେଡି ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଛି। ଏସବୁ ଭିତରେ ଦଳ ପକ୍ଷରୁ ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ବିଭିନ୍ନ ନେତାଙ୍କୁ ଦାୟିତ୍ୱ ବଣ୍ଟାଯାଇଛି।
ସୂଚନା ଅନୁସାରେ, ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ । ସେହିଭଳି ପୁରା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଦାୟିତ୍ବରେ ରହିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଅନ୍ୟପଟେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ତିନି ବ୍ଲକ ଦାୟିତ୍ୱରେ ରହିବେ ତିନି ମନ୍ତ୍ରୀ। ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକମାଳ ବ୍ଲକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନବ ଦାସ୍ । ସେହିପରି ଝାରବନ୍ଧ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରହିବେ ।
ସେହିଭଳି ପୁରା ନିର୍ବାଚନ ମଣ୍ଡଳୀକୁ ବିଭିନ୍ନ ଜୋନରେ ଭାଗ କରାଯାଇ ପଶ୍ଚିମ ଓଡ଼ିଶା ନେତାଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟାଯାଇଛି। ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ,ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସରୋଜ ମେହେର ,ପୁଷ୍ପେନ୍ଦ୍ର ସିଂ ଦେଓ ,ନିରଞ୍ଜନ ବିଶି,ରୋହିତ ପୂଜାରୀଙ୍କ ପରି ନେତା ପ୍ରମୁଖ ଜୋନ ଦାଇତ୍ଵ ସମ୍ଭାଳିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ନେତାଙ୍କୁ ଦାୟିତ୍ବ ମିଳିଥିବା ବେଳେ ଅନ୍ୟ ନେତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଦାୟିତ୍ବ ବଣ୍ଟାଯିବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।
ସେପଟେ ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଆଉ ମାତ୍ର ୨ଦିନ ଥିଲାବେଳେ ଦଳୀୟ ଟିକେଟକୁ ନେଇ ଶାସକ ବିଜେଡିରେ ଆଶାୟୀ ମାନେ ନିଜ ନିଜ ଲବି ଆରମ୍ଭ କରି ଦେଲେଣି। ପଦ୍ମପୁରର ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ପତ୍ନୀ ତିଲିତ୍ତମା ବରିହା ଗତକାଲି ଗଣମାଧ୍ୟମରେ ବୟାନ ଦେଇ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ଜଣାଇଛନ୍ତି। ତାଙ୍କ ଛଡା ଦଳର ଅନ୍ୟ କିଛି ନେତା ମଧ୍ୟ ଏହି ଆସନ ପାଇଁ ଆଶାୟୀ ଥିବା ଦଳୀୟ ସୂତ୍ରରୁ ଜଣା ପଡିଛି। ତେବେ ଏହି ଆସନ ଜିତିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଦଳ କାହାକୁ ଟିକେଟ ଦେଉଛି ଦେଖିବାକୁ ବାକି ରହିଲା।





