ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏନେଇ ସାରା ଦେଶର ରାଜନୀତିକ ମାହଲ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ବୟାନ ଷ୍ଣକୁ ଆସିଥିବାର ଦେଖିବାକୁ ମିଳିଛି । ତେବେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍ କରିଛନ୍ତି।
ରାଜ୍ୟର ପରିସ୍ଥିତି ଖରାପ ହେବା ପଛରେ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଛି ବୋଲି ସେ କହିଛନ୍ତି। ଏହା ସହ ବିଜେପି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ମମତା ବାନାର୍ଜୀ କହିଛନ୍ତି, ଭାଜପା ଏବଂ ନିର୍ବାଚନ କମିଶନ ‘ନିଆଁ ସହ ଖେଳୁଛନ୍ତି’ ଏବଂ ମାଲଦା ଘଟଣା ସେହି ‘ମଳିନ ଷଡ଼ଯନ୍ତ୍ର’ର ପରିଣାମ।ସେ ଅଭିଯୋଗ କରି କହିଛନ୍ତି, ଅଭିଜ୍ଞ ରାଜ୍ୟ ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀ, ଯେଉଁମାନେ ବଙ୍ଗର ପ୍ରତ୍ୟେକ ଦିଗ ସହିତ ପରିଚିତ ଥିଲେ ସେମାନଙ୍କୁ ବଦଳି କରାଯାଇଥିଲା। ସେମାନଙ୍କ ସ୍ଥାନରେ କେନ୍ଦ୍ରୀୟ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିଲା ଯେଉଁମାନେ ରାଜ୍ୟର ଭୌଗୋଳିକ, ସାମାଜିକ ଏବଂ ଭୂମିଗତ ବାସ୍ତବତାକୁ ବୁଝିନାହାନ୍ତି। ଏହି ‘ବାହ୍ୟ ଅଧିକାରୀ’ ସ୍ଥାନୀୟ ପରିସ୍ଥିତି ପରିଚାଳନା କରିବାରେ ଅକ୍ଷମ, ଯାହା କାରଣରୁ ପରିସ୍ଥିତି ଖରାପ ହେଉଛି।
ଏହା ବ୍ୟତୀତ ଭାଜପା ସମଗ୍ର ରାଜ୍ୟକୁ ବଦନାମ କରିବା ପାଇଁ ଏହି ଘଟଣାଗୁଡ଼ିକୁ ବ୍ୟବହାର କରୁଛି। ଆଗକୁ ଏମିତି ହେଲେ ପରିଣାମ ଭୟଙ୍କର ହେବ ବୋଲି କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଘଟଣା ପାଇଁ ସିଧାସଳଖ ଅମିତ ଶାହଙ୍କୁ ଦାୟୀ କରିଛନ୍ତି। ତେବେ ଆଇନ ଶୃଙ୍ଖଳାକୁ ନଷ୍ଟ କରିବା ଏବଂ ବଙ୍ଗଳାର ଶାନ୍ତି ସହିତ ରାଜନୀତି କରିବା ପାଇଁ ଅମିତ ଶାହ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ମମତା ବାନାର୍ଜୀ କହିଛନ୍ତି ।





