ବିଦ୍ୟୁତ କାଟ୍କୁ ନେଇ ବର୍ଷିଲା ବିଜେପି: ଟାଟା ପାୱାର ସହ ସରକାରଙ୍କ କଣ ବୁଝାମଣା ହୋଇଥିଲା ସେନେଇ ଶ୍ବେତପତ୍ର ଜାରି କରିବାକୁ ଦାବି କଲେ ଲେଖାଶ୍ରୀ

ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ଅସହ୍ୟ ଗ୍ରୀଷ୍ମପ୍ରବାହରେ ସାଧାରଣ ଲୋକେ ହନ୍ତସନ୍ତ । ସେପଟେ ‘ପାୱାର କଟ୍’କୁ ନେଇ ରାଜ୍ୟ ରାଜନୀତି ସରଗରମ । ରାଜ୍ୟ ସରକାର ଯେଉଁ Sustainable Developement Goalର କଥା କହି ମିଛ ଡିଣ୍ଡିମ ପିଟୁଛନ୍ତି, ସେଥିରେ ‘ନିରବିଚ୍ଛନ ବିଜୁଳି ସେବା’ ମଧ୍ୟ ଅନ୍ୟତମ । ବାସ୍ତବରେ ରାଜ୍ୟବାସୀଙ୍କୁ ନିରବିଚ୍ଛନ ବିଜୁଳି ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି ସରକାରର ପାଟିରୁ Sustainable Developement Goal ପୁରଣ ହୋଇଛି କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ ବୋଲି ଆଜି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ଓଡିଶା ରାଜ୍ୟ ବିଦ୍ୟୁତ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର କହି ବୁଲୁଛନ୍ତି । ତା’ହେଲେ ବିଦ୍ୟୁତ ବଳକା ରାଜ୍ୟରେ ବାରମ୍ବାର ଏମିତି ବିଜୁଳି କାଟ୍ କାହିଁକି ହେଉଛି ? ଗ୍ରାମାଞ୍ଚଳ ସମେତ ସହରାଞ୍ଚଳ ଏବଂ ରାଜଧାନୀ ଭୁବନେଶ୍ୱରରେ ଘନ ଘନ ବିଜୁଳି କାଟ୍, ଲୋ ଭୋଲଟେଜର ଶିକାର ଉପଭୋକ୍ତା କାହିଁକି ହେଉଛନ୍ତି ? ଗତକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଂଟର କଂଟିନେଂଟାଲ ଫୁଟବଲ୍ ମ୍ୟାଚ ସମୟରେ ବାରମ୍ବାର ‘ପାୱାର କଟ୍’ ହେବା ଦ୍ୱାରା ଖେଳ ବାଧାପ୍ରାପ୍ତ ହେବା ସହିତ ସମଗ୍ର ବିଶ୍ୱରେ ଓଡିଶାବାସୀ ନିନ୍ଦିତ ହେଲେ । ଟାଟା କଂପାନୀ ନିଜ ଲାଭ ପାଇଁ ଓଡିଶାରେ ବିତରଣ ଦାୟିତ୍ୱ ନେଇଛି । ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ଘରୋଇ ଟାଟା ପାୱାର କଂପାନୀ ଉପରେ କାହିଁକି ଦୋଷ ଲଦି ଦେଉଛନ୍ତି ରାଜ୍ୟ ସରକାର | ତେଣୁ ଟାଟା ପାୱାରକୁ ବିଦ୍ୟୁତ ବିତରଣ ପାଇଁ ଦାଇତ୍ୱ ଦେବାବେଳେ କମ୍ପାନୀ ସହ ସରକାରଙ୍କ କଣ ବୁଝାମଣା ହୋଇଥିଲା ସେନେଇ ଶ୍ବେତପତ୍ର ଜାରି କରନ୍ତୁ ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ ଦେବ ମିଛର ସମସ୍ତ ସୀମାକୁ ଉଲ୍ଲଂଘନ କରି ଗୋଟିଏ ବିବୃତି ଦେଇଛନ୍ତି, ଯାହାକି ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ଜାତୀୟସ୍ତରରେ ବିଜୁଳି ବିତରଣ କଂପାନୀମାନେ ୟୁନିଟ ପିଛା ୭ଟଙ୍କା ୭ ପଇସାରେ କିଣୁଥିବାବେଳେ ଓଡିଶାରେ ବିତରଣ କଂପାନୀମାନେ ୟୁନିଟ ପିଛା ୫ଟଙ୍କା ୬୦ ପଇସାରେ କିଣୁଛନ୍ତି । ଅନ୍ୟ ପଟେ ପାଖାପାଖି ୨୦ ରାଜ୍ୟରେ ଉପଭୋକ୍ତାମାନେ ୟୁନିଟ ପିଛା ୪ଟଙ୍କା ୯୯ ପଇସା ଦେଉଥିବାବେଳେ ଓଡିଶାରେ ଉପଭୋକ୍ତାମାନେ ୫ଟଙ୍କା ୨୨ ପଇସା ଦେଉଛନ୍ତି । ଜାତୀୟ ସ୍ତରରେ ୟୁନିଟ ପିଛା ୨୩ ପଇସା ଅଧିକ । ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରି ରାଜ୍ୟ ସରକାର ଅଧିକ କଂପାନୀ ପ୍ରୀତି କାହିଁକି କରୁଛନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

Related Posts