ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିପୁରରେ ଭାରତୀୟ ଜନତା ପାର୍ଟି ବାଜି ମାରିଛି । ଭାରତୀୟ ଜନତା ପାର୍ଟି୨୯ଟି ଆସନରେ ଆଗୁଆ ରହିଛି। ନ୍ୟାସନାଲ ପିପୁଲ୍ସ ପାର୍ଟି ନଅଟି ଆସନରେ ଆଗୁଆ ରହି ପଛରେ ରହିଛି। ଅପରପକ୍ଷରେ କଂଗ୍ରେସ ୧୦ଟି ଆସନରେ ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ ଇମ୍ଫାଲ ପୂର୍ବର ହେଇଙ୍ଗାଙ୍ଗ ଆସନ ଜିତିଛନ୍ତି। ସେପଟେ କଂଗ୍ରେସ ପକ୍ଷରୁ ପି ଶରତ ଚନ୍ଦ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହକୁ କଡ଼ା ଟକ୍କର ଦେଇଥିଲେ ହେଁ ଶେଷରେ ପରାସ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଏହି ଆସନରୁ ପ୍ରାୟ ୧୮ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି। ବିଜୟ ପରେ ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏଥିସହ ରାଜ୍ୟରେ ପୁଣି ବିଜେପି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି। ବିଜେପି ମଣିପୁରରେ ମେଣ୍ଟ ସରକାର ଗଠନ କରିଥିଲେ ମଧ୍ୟ ଏଥର ଏକାକୀ ନିର୍ବାଚନ ଲଢ଼ୁଛି। ଅନ୍ୟପଟେ ମଣିପୁରରେ ୬୦ଟି ବିଧାନସଭା ଆସନ ଅଛି, ସେଥିମଧ୍ୟରୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଏକ ଦଳ କିମ୍ବା ମିଳିତ ଦଳ ୩୧ଟି ଆସନ ଜିତିବା ଆବଶ୍ୟକ। କିନ୍ତୁ ବିଜେପି ଏହି ମ୍ୟାଜିକ ନମ୍ବରକୁ ଅତି ସହଜରେ ହସଲ କରିନେବ ବୋଲି ଅନୁମାନ କରାଯାଉଛି ।





