ଭୁବନେଶ୍ୱର,୧୪/୬(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5T ଇନଚାର୍ଜ ଭିକେ ପାଣ୍ଡିଆନଙ୍କୁ ନେଇ ଏବେ ଭାରତୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ବୟାନବାଜି ତେଜିବାରେ ଲାଗିଛି | ଗତ କିଛି ଦିନ ହେଲା ଭିକେ ପାଣ୍ଡିଆନ ଯେଭଳି ଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ତୁଫାନୀ ଗସ୍ତ କରୁଛନ୍ତି ତାକୁ ନେଇ ଏବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆପତ୍ତି ଉଠାଯାଇଛି | କିନ୍ତୁ ଯେଉଁ କଥାକୁ ନେଇ ଏବେ ବିଜେପି ଓ ବିଜେଡି ନେତାଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଆରମ୍ଭ ହୋଇଛି ତାହା ବିଜେପିର ପୂର୍ବତନ ତାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଟୁଇଟ କୁ ନେଇ |
ସମୀର ଜୁନ 13 ତାରିଖ ଦିନ ତାଙ୍କର ଟୁଇଟର ହ୍ୟାଣ୍ଡେଲ ରେ ଏଭଳି କିଛି କଥା ଟୁଇଟ କଲେ ଯାହା ପରେ ବିଜୁ ଜନତା ଦଳ ନେତାଙ୍କ ଭିତରେ ଲାଗିଗଲା ନିଆଁ | ସମୀର ତାଙ୍କ ଟୁଇଟ ରେ ଲେଖିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବୁଲି ଜନସାଧାରଣଙ୍କୁ ଅବଗତ କରାଉଛନ୍ତି ଯେ, “ଲୋକଙ୍କ କଥାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଆପଣଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି” ? ସମୀର ପୁଣି ଆଉ ଏକ ଟୁଇଟ କରି ଲେଖିଲେ ଯେ, ସାମ୍ବିଧାନିକ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକୁ ଦେଖିବା ପାଇଁ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଓ ସରପଞ୍ଚ ଜନସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ରହିଥାନ୍ତି। ଓଡ଼ିଶାରେ କିନ୍ତୁ ଏହାର ବୀପରିତ ତଥା ବିରଳ ଘଟଣା ଦେଖିବାକୁ ମିଳୁଛି । ସାଂସଦ ଓ ବିଧାୟକମାନେ ବ୍ୟକ୍ତିଗତ ସହାୟକଙ୍କ ପାଇଁ ମଞ୍ଚ ବାନ୍ଧିବା ଠାରୁ ଲୋକ ଯୋଗାଡ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସମୀର ଲେଖିଲେ।
ତେବେ ନିଜ ଟୁଇଟରେ ସମୀର ସବୁ କିଛି ଲେଖିଲେ କିନ୍ତୁ ଚତୁରତାର ସହ ନାଁ ନେଲେ ନାହିଁ | ଏହାସହିତ ସେ ବ୍ୟବହାର କରିଥିବା ଶବ୍ଦକୁ ନେଇ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି | ସମୀର ମହାନ୍ତିଙ୍କ ଭଳି ଜଣେ ବରିଷ୍ଠ ରାଜନେତା ନିଜ ଟୁଇଟରେ ଯଦିଓ ପାଣ୍ଡିଆନଙ୍କ ନାଁ ନେଇ ନାହାନ୍ତି କିନ୍ତୁ ଯାହା ସବୁ କହିଛନ୍ତି ସେସବୁ ପାଣ୍ଡିଆନଙ୍କ ଉଦେଶ୍ୟରେ ବୋଲି ସ୍ପଷ୍ଟ ଜଣାପଡୁଛି | କିନ୍ତୁ ନିଜ ଟୁଇଟ ରେ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ବୋଲି ଲେଖିଛନ୍ତି | ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଭିକେ ପାଣ୍ଡିଆନ ହେଉଛନ୍ତି private secretary to cm | ତେବେ ନିଜ ଟୁଇଟ ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଲେଖିଥିଲେ ସମୀର ମହାନ୍ତି ଙ୍କ କଣ ଅସୁବିଧା ହୋଇଥାନ୍ତା ବୋଲି ପ୍ରଶ୍ନ ଉଠୁଛି |
ସେପଟେ ସମୀର ମହାନ୍ତିଙ୍କ ଏହି ଲେଖା ପରେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବାହାରି ପଡିଲେ | ସସ୍ମିତ ଏହାର କାଉଣ୍ଟର ଟୁଇଟ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଛନ୍ତି | ସସ୍ମିତ ଟୁଇଟ କରି ଦାବି କରିଛନ୍ତି ଯେ ସମୀର ଏହି ଟୁଇଟ ନିଜେ କରି ନାହାନ୍ତି | ସମୀର ହେଉଛନ୍ତି କେବଳ ମୋହରା ମାତ୍ର ତାଙ୍କ ଟୁଇଟ ପଛର ନିର୍ଦେଶକ ଆଉ ଜଣେ ଅଛନ୍ତି | ସମୀରଙ୍କ ଟୁଇଟର ହ୍ୟାଣ୍ଡେଲ ଆଉ ଜଣଙ୍କ ପାଖରେ ଅଛି ବୋଲି ସସ୍ମିତ କହିଛନ୍ତି | ସମୀର ଯେଭଳି ନାଁ ନନେଇ ପାଣ୍ଡିଆନଙ୍କ ବିଷୟରେ ଲେଖିଛନ୍ତି ସସ୍ମିତ ମଧ୍ୟ ସମାନ ଢଙ୍ଗରେ ନାଁ ନନେଇ ବିଜେପିର ସେ ନେତାଙ୍କ ବିଷୟରେ ବହୁତ କଥା ଲେଖିଛନ୍ତି | ଆଉ ସେ ନେତା ଜଣକ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଧର୍ମେନ୍ଦ୍ର ପ୍ରଧାନ | କାରଣ ଧର୍ମେନ୍ଦ୍ର ପ୍ରଧାନ 13 ତାରିଖ ଦିନ ରାଜ୍ୟରେ ହେଉଥିବା ଅଘୋଷିତ ବିଜୁଳି କାଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ |
ଧର୍ମେନ୍ଦ୍ର କହିଥିଲେ ଯେ ଓଡ଼ିଶାର କୋଇଲାରେ ସାରା ଭାରତ ବିଜୁଳି ପାଉଥିବା ବେଳେ ଦୀପ ତଳ ଅନ୍ଧାର ଭଳି ଓଡିଶା ଆଜି ଅନ୍ଧାରରେ ଅଛି | ଏହା ରାଜ୍ୟ ସରକାରଙ୍କ ବିଫଳତା | ଧର୍ମେନ୍ଦ୍ରଙ୍କ ଏହି ବୟାନ ବିଜୁ ଜନତା ଦଳକୁ ବାଧିଗଲା ଆଉ ସଂଗେସଂଗେ ସସ୍ମିତ ପାତ୍ର ନାଁ ନନେଇ ଟୁଇଟ କଲେ ଯେ ଆପଣ କୁହନ୍ତୁ କେନ୍ଦ୍ର ସରକାର ଓଡିଶା ପାଇଁ କଣ କରିଛନ୍ତି ? କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିଛନ୍ତି ? ସମ୍ବଲପୁର-ଢେଙ୍କାନାଳ ରାସ୍ତା ଏପର୍ଯ୍ୟନ୍ତ କାହିଁକି ତିଆରି ହୋଇ ପାରିଲା ନାହିଁ ବୋଲି ପ୍ରଶ୍ନ ଉଠାଇ ସସ୍ମିତ ଟୁଇଟ କରିଛନ୍ତି | ତେବେ ସସ୍ମିତ ତାଙ୍କ ଟୁଇଟରେ କହିବାକୁ ଚାହିଁଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯିବାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ | ଏବେ ସମୀର ମହାନ୍ତି ଓ ସସ୍ମିତଙ୍କ ଏହି ଟୁଇଟ ପରେ ପାଣ୍ଡିଆନଙ୍କୁ ନେଇ ଉଠୁଥିବା ବିବାଦ ରଙ୍ଗ ଧରୁଛି | ଏବେ ଦେଖିବାକୁ ବାକି ରହିଲା ଯେ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ଏ ବିବାଦକୁ ଆଗକୁ ନେଉଛନ୍ତି ନା ଆପୋଷ ବୁଝାବଣା କରି ଚୁପ ବସି ଯାଉଛନ୍ତି |





