ଦିଲ୍ଲୀକୁ ବୁଡ଼ାଇବାକୁ ବିଜେପି ଷଡ଼ଯନ୍ତ୍ର କରିଛି: ଆପ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଥିବା ହେତୁ ଜାତୀୟ ରାଜଧାନୀ ଦିଲ୍ଲୀ ଏବେ ଜଳମଗ୍ନ ହୋଇଛି । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯମୁନା ନଦୀର ଜଳସ୍ତର ରେକର୍ଡ 208.66 ମିଟର ଛୁଇଁବା ପରେ ଜଳ ସ୍ତର ଏବେ ଧୀରେ ଧୀରେ ହ୍ରାସ ପାଉଛି। ଲୋକେ ବନ୍ୟା ଜଳ ଭିତରେ ହନ୍ତସନ୍ତ ହେଉଥିବା ବେଳେ ବନ୍ୟାକୁ ନେଇ କିନ୍ତୁ ଆରମ୍ଭ ହୋଇଯାଇଛି ରାଜନୀତି । ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବରଂ ଏହା ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ ବୋଲି ସିଧାସଳଖ ଅଭିଯେଗ କରିଛି ଆମ୍ ଆଦମୀ ପାର୍ଟି (ଆପ) ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ତଥା ଆମ୍ ଆଦମୀ ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ, ‘ଦିଲ୍ଲୀକୁ ଜାଣିଶୁଣି ବୁଡ଼ାଇ ଦିଆଯାଇଛି। ହଥିନିକୁଣ୍ଡ ବ୍ୟାରେଜରୁ ଅଧିକ ଜଳ କେବଳ ଦିଲ୍ଲୀକୁ କାହିଁକି ପଠାଗଲା? ହଥିନିକୁଣ୍ଡ ବ୍ୟାରେଜରୁ ଉତ୍ତରପ୍ରଦେଶ କିମ୍ବା ହରିୟାଣାକୁ ବର୍ଷା ଜଳ ନଛାଡି କେବଳ ଦିଲ୍ଲୀକୁ ବର୍ଷା ଜଳ ଛଡ଼ାଯାଇଛି । ଜାଣିଶୁଣି ଏଭଳି କରାଯାଉଛି। ସୁପ୍ରିମକୋର୍ଟ ସମେତ ଦିଲ୍ଲୀର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭବନକୁ ବୁଡ଼ାଇବାକୁ ଏଭଳି ଷଡଯନ୍ତ୍ର କରାଯାଇଛି। ହଥିନିକୁଣ୍ଡର ଲଗ୍ ବୁକରୁ ଏହା ସ୍ପଷ୍ଟ ହୋଇଛି ଯେ ଯେତେବେଳେ ଦିଲ୍ଲୀ ଆଡକୁ ବର୍ଷା ଜଳ ଛଡ଼ାଗଲା, ସେତେବେଳେ ପୂର୍ବ ପଶ୍ଚିମ କେନାଲ ଶୁଖିଲା ପଡ଼ିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଦିଲ୍ଲୀକୁ ବୁଡ଼ାଇବାକୁ ଷଡ଼ଯନ୍ତ୍ର କରାଯାଇଛି | ଏଥିପାଇଁ ହରିୟାଣାର ବିଜେପି ସରକାରଙ୍କୁ ଜବାବ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

Related Posts