ଝାରସୁଗୁଡ଼ା ଉପନିର୍ବାଚନରେ କେନ୍ଦ୍ରୀୟ ପୋଲିସ ନିୟୋଜିତ କରିବାକୁ ଦାବି କଲା ବିଜେପି

ଭୁବନେଶ୍ୱର,୩/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡାରେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ନେଇ ଆଶଙ୍କା ପ୍ରକାଶ କରି ଭାରତୀୟ ଜନାତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଝାରସୁଗୁଡା ବିଧାନସଭାର ସମୁଦାୟ ୨୫୩ ବୁଥ୍ ମଧ୍ୟରୁ ୭୧ଟି ବୁଥ୍ ଅତି ଉତ୍ତେଜନାପ୍ରବଣ ଥିବା ଆଶଙ୍କା କରିଛି ଭାରତୀୟ ଜନତା ପାର୍ଟି ।

ସ୍ଥାନୀୟ ଜନସାଧାରଣଙ୍କ ମତକୁ ସମୀକ୍ଷା କରି ଏହି ୭୧ଟି ବୁଥ୍ ଅତି ଉତେଜନା ପ୍ରବଣ ବୋଲି ଚିହ୍ନଟ କରିଛି ବିଜେପି । ନିର୍ବାଚନ ସମୟରେ ଏହି ୭୧ଟି ଅତି ଉତ୍ତେଜନା ପ୍ରବଣ ବୁଥ୍‌ରେ ବ୍ୟାପକ ସୁରକ୍ଷା ଓ ସିସିଟିଭିର ବ୍ୟବସ୍ଥା କରି ଝାରସୁଗୁଡା ଉପନିର୍ବାଚନରକୁ ଅବାଧ, ମୁକ୍ତ, ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଅନୁରୋଧ କରିଛନ୍ତି ।

ଏଥିସହିତ ଯୁଗ୍ମ ବୁଥ୍ କେନ୍ଦ୍ର ବାହାରେ ଓ ଭିତରେ ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଏହାସହିତ ନିର୍ବାଚନ ସମୟରେ କେନ୍ଦ୍ରୀୟ ପୋଲିସଙ୍କୁ ନିର୍ବାଚନରେ ନିୟୋଜିତ କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ସୋନାଲୀ ସାହୁ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts