‘ମିଛ କାହାଣୀ କହି କ୍ଷମତାକୁ ଆସିଛି ବିଜେପି’: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ନବୀନଙ୍କ ଟାର୍ଗେଟ

ଭୁବନେଶ୍ୱର,୨/୧୦(ସତ୍ୟପାଠ ବ୍ୟୁରୋ): ଗାନ୍ଧୀ ଜୟନ୍ତୀ ଅବସରରେ ସମଗ୍ର ରାଜ୍ୟରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନ ଜାଗରଣ ପଦଯାତ୍ରା। ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡଗଡ଼ ବ୍ରିଟ୍‌ କଲୋନୀ ସ୍ଥିତ ନେତାଜୀ ଖେଳ ପଡିଆରୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି।

ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇବା ସହ ବିଜେପି ସରକାରଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଗତ ୩ ମାସ ମଧ୍ୟରେ ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶା କିପରି ଅଶାନ୍ତିର ଚରମ ସୀମାରେ ପହଂଚିଲାଣି ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନବୀନ। ୨୪ ବର୍ଷ ଶାସନକାଳ ମଧ୍ୟରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ କ୍ଷେତ୍ରରେ ହୋଇଥିବା ଉନ୍ନତି ସମ୍ପର୍କରେ ଆୟୋଜିତ ସଭାରେ ଲୋକଙ୍କ ଅବଗତ କରାଇଥିଲେ ନବୀନ। ସେବା ଓ ସ୍ୱାଭିମାନ ହେଉଛି ବିଜୁ ଜନତା ଦଳର ମନ୍ତ୍ର। ତୃଣମୂଳ ସ୍ତରରେ ଓଡ଼ିଶାର ପ୍ରତିଟି ଲୋକଙ୍କୁ ସ୍ୱାବଲମ୍ବୀ କରାଇବା ବିଜେଡିର ମୂଳ ଲକ୍ଷ୍ୟ ବୋଲି କହିଥିଲେ ନବୀନ।

ନବୀନ ଆହୁରି ମଧ୍ୟ କହିଛନ୍ତି ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାର ବିକାଶ ପାଇଁ ବହୁତ କିଛି କରିଛି । ଡବଲ ଇଂଜିନ ସରକାର ଶାସିତ ରାଜ୍ୟଙ୍କଠାରୁ ଓଡ଼ିଶା ଢେର ଆଗରେ ଅଛି । ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇଛନ୍ତି । ବର୍ତ୍ତମାନ ସରକାର ସେହି ଯୋଜନାର ନାମ ବଦଳାଇ ଦେଇଛନ୍ତି । ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ । ମିଛ କାହାଣୀ କହି ବିଜେପି କ୍ଷମତାକୁ ଆସିଛି । ଆପଣ ମାନେ ମାଗଣାରେ ୩ଶହ ୟୁନିଟ୍ ବିଜୁଳୀ ପାଉଛନ୍ତି ? କେତେ ଜଣ ମା’ ୫୦ ହଜାର ଟଙ୍କା ପାଇଲେଣି ? ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ ।

ନିର୍ବାଚନ ବେଳେ ହାତୀ ଦେବି ଘୋଡ଼ା ଦେବି ବୋଲି କହିଥିଲା ବିଜେପି । ଏବି ବିଜେପିର ମିଛକୁ ଜାଣି ସାରିଲେଣି ଓଡ଼ିଶାର ଲୋକ । ଦରଦାମକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ । ଓଡ଼ିଶାରେ ମା’ମାନେ ଥାନାରେ ବି ସୁରକ୍ଷିତ ନାହାନ୍ତି । ସରକାରୀ କର୍ମଚାରୀ ରାଜଭବନରେ ମଧ୍ୟ ସୁରକ୍ଷିତ ନାହାନ୍ତି । ଏହି ସରକାରକୁ ଲୋକ ଭରସା କରି ପାରୁନାହାନ୍ତି । ମିଛ କଥା କହି ନିର୍ବାଚନ ଜିତି ପାରିବେ କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ଓଡ଼ିଶାର ଦ୍ରାରିଦ୍ର୍ୟ ୭୦ ପ୍ରତିଶତ ଥିଲା । ଆଜି ଏହା ୧୦ ପ୍ରତିଶତକୁ କମିଛି । ଆମ ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି । ଆନେକ ଡବଲ ଇଂଜିନ ରାଜ୍ୟଙ୍କଠାରୁ ଓଡ଼ିଶା ଆଗରେ ଅଛି । ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭଲ ପ୍ରଦର୍ଶନ କରୁଛି । ମୁଁ ସରକାରରେ ଥାଏ କି ନଥାଏ ଆପଣ ମାନଙ୍କ ସେବା କରିବି । ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି । ବିଜେଡି ସମସ୍ତଙ୍କ ହୃଦୟରେ ଅଛି ଆଉ ରହିବ ବୋଲି ନବୀନ କହିଥିଲେ।

Related Posts