‘ଆଞ୍ଚଳିକ ଦଳଗୁଡ଼ିକୁ ଶେଷ କରିବାକୁ ଷଡଯନ୍ତ୍ର ଚଳାଇଛି ବିଜେପି’: ଶରଦ ପାୱାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): 2024 ଲୋକସଭା ନିର୍ବାଚନରେ କ୍ଷମତା ହାତେଇବାକୁ ବିଜେପି ଚକ୍ରାନ୍ତ କରୁଛି। ବିରୋଧୀ ଦଳକୁ ଭାଗ ଭାଗ କରିଦେଲେ ନିର୍ବାଚନ ଜିତିବା ସହଜ ହେବ ତେଣୁ ବିଜେପି ବିରୋଧୀ ଦଳ ଗୁଡିକୁ ଭାଗ ଭାଗ କରିବାକୁ ଯୋଜନା କରୁଛି। ଏନସିପିରେ ବିଦ୍ରୋହ ପରେ ଏବେ ଲୋକଙ୍କ ପୁଣି ସାରା ମହାରାଷ୍ଟ୍ରରେ ବୁଲିବା ଅବସରରେ ଏପରି ମନ୍ତବ୍ୟ ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ତୟକ୍ଷ ଶରଦ ପାୱାର ।

ନାସିକଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶରଦ କହିଛନ୍ତି ଯେ, ବିଜେପି ରାଜ୍ୟସ୍ତରୀୟ ସମସ୍ତ ଆଞ୍ଚଳିକ ଦଳଗୁଡ଼ିକୁ ଶେଷ କରିବାକୁ ଷଡଯନ୍ତ୍ର ଚଳାଇଛି। ଏପରିକି ଏହି ଦଳଗୁଡ଼ିକୁ ଦୁର୍ବଳ କରିବାକୁ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଯୋଜନା କରିଛି।

ନିଜ ପୁତୁରା ଅଜିତ ପାୱାର ଓ ଏନସିପିର କିଛି ବିଧାୟକ ବିଜେପି-ଶିବସେନା(ସିନ୍ଦେ ଗୋଷ୍ଠୀ)ର ମେଣ୍ଟ ସରକାରେ ସାମିଲ ହେବା ପରେ ଏପରି କହିଛନ୍ତି ଶରଦ ପାୱାର। ଏଥିସହ ପୁଣି ଥରେ ପାର୍ଟିକୁ ଶକ୍ତ କରିବାକୁ ତଥା ଅଣ୍ଟା ସଳଖି ଛିଡ଼ା କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଶରଦ।

ନାସିକରେ ସେ ଆହୁରି କହିଛନ୍ତି, ମୁଁ ପୂର୍ବ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ଅଟଳ ବିହାରୀ ବାଜପେୟୀ, ପିଭି ନରସିଂହା ରାଓଙ୍କ ରାଜନୀତି ଦେଖିଛି। ଏହି ପ୍ରଧାନମନ୍ତ୍ରୀମାନେ ବିରୋଧୀଙ୍କ ଆଲୋଚନା କରୁଥିଲେ, ବିରୋଧ କରୁଥିଲେ। କିନ୍ତୁ ସେମାନଙ୍କୁ କେବେ ଚୁପ୍‌ କରାଇବାକୁ ପ୍ରୟାସ କରିନଥିଲେ। କିନ୍ତୁ ଏବେର ସରକାରଙ୍କ ଯୋଜନା ସମ୍ପୂର୍ଣ୍ଣ ଭିନ୍ନ । ଆଞ୍ଚଳିକ ଦଳ ଗୁଡ଼ିକୁ ଶେଷ କରିଦେବାକୁ ଯୋଜନା କରୁଛି ବିଜେପି । ଆସନ୍ତା ନିର୍ବାଚନରେ ଜିତିବାକୁ ନିଶ୍ଚିତ କରିବାକୁ ଏବେ ବିଜେପି ଏପରି ଚାଲ୍‌ ଖେଳିବାରେ ଲାଗିଛି। ଏହା ଲୋକତନ୍ତ୍ର ପାଇଁ ବିପଦ ବୋଲି କହିଛନ୍ତି ଶରଦ ପାୱାର ।

ସେପଟେ ବୟସ ହୋଇଗଲାଣି ତେଣୁ ଅବସର ନେଇଯିବାକୁ ଅଜିତ ପାୱାର ନିଜ ଦାଦା ଶରଦ ପାୱାରଙ୍କୁ ପରାମର୍ଶ ଦେଇଥିବା ବେଳେ ଶରଦ ପାୱାର ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ୮୨ ବର୍ଷ ବୟସରେ ବି ସେ ଖୁବ୍‌ ଆକ୍ଟିଭ ଅଛନ୍ତି। ଆଗକୁ ମଧ୍ୟ ସେ ରାଜନୀତିରେ ସକ୍ରିୟ ରହିବେ ଓ ଦଳ କୁ ପୁଣି ମୂଳରୁ ଛିଡା କରିବେ ବଳିଆ କହିଛନ୍ତି |

Related Posts