ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ): ଓଡ଼ିଶାବାସୀଙ୍କୁ ଅରାଜକ କହି ବାରମ୍ୱାର ଅପମାନିତ କରୁଥିବା ବିଜେପି ଏବେ ପୁଣିଥରେ ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯେତେବେଳେ ସମ୍ବଲପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି ଏବଂ ଧୀରେ ଧୀରେ ଶାନ୍ତି ଫେରିଆସୁଛି, ସେତିକିବେଳେ ବିଜେପି ନେତାମାନେ ସମ୍ବଲପୁରରେ ପଶି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ।
ବିଜେପି ଶାସିତ ଉତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ । ଯେତେବେଳେ ଉତ୍ତରପ୍ରଦେଶର ହାଥରସ୍, ଲଖିମପୁର ଖେରିରେ ସ୍ପର୍ଶକାତର ଘଟଣା ଘଟିଥିଲା, ବିଜେପି ସରକାର ସେଠାକୁ କୌଣସି ଦଳର ଲୋକଙ୍କୁ ଛାଡ଼ି ନଥିଲା । ନିଜ ଶାସିତ ରାଜ୍ୟରେ ବିଜେପି ଗୋଟିଏ ନୀତି ଆପଣାଉଥିବାବେଳେ ଓଡ଼ିଶାର ବିଜେପି ନେତାମାନେ ଏଠି ନିଜ ପାଇଁ ଭିନ୍ନ ନୀତି ଆପଣାଉଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେବଳ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ସମ୍ବଲପୁର ଯାଇ ପୁନର୍ବାର ହିଂସାକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି ।
ଶ୍ରୀ ବାବୁ ଆହୁରି କହିଛନ୍ତି ଯେ ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପି ନେତାଙ୍କ ଏଭଳି ହୀନ ଉଦ୍ୟମକୁ ଦେଖୁଛନ୍ତି ଏବଂ ସେମାନଙ୍କ ଅସଲ ଉଦ୍ଦେଶ୍ୟ ମଧ୍ୟ ବୁଝିଛନ୍ତି । ତେଣୁ ଆଗାମୀ ଦିନରେ ଓଡ଼ିଶାବାସୀ ବିଜେପିକୁ ଠିକଣା ଜବାବ ଦେବେ ।





